ଅଧିକାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ବ୍ୟାଙ୍କ ମ୍ୟାନେଜରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

0

ଭୁବନେଶ୍ୱର/ଆଦର୍ଶ ରାଉତ: ପୁଣି ଉପରିସ୍ଥ କର୍ମଚାରୀଙ୍କ ଚାପର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟାଙ୍କ ମ୍ୟାନେଜର । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବାଲେଶ୍ୱର ଅମରଦା ବ୍ୟାଙ୍କ ମ୍ୟାନେଜର ଗଣେଶ କୁମାର ପାଇକରାୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷପାନ ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପରିବାର ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛିି । ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗଣେଶ । ଗଣେଶଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ସେ ବାଲେଶ୍ୱରରେ କାର୍ଯ୍ୟରତ ଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଗଣେଶ ୨ ବର୍ଷ ହେବ କାର୍ଯ୍ୟକରିଆସୁଛନ୍ତି । କିନ୍ତୁ ଉକ୍ତ ବ୍ୟାଙ୍କରେ ମ୍ୟାନେଜର କେହି ନଥିବାରୁ ତାଙ୍କୁ ମ୍ୟାନେଜର ପୋଷ୍ଟରେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଯୁକ୍ତ କରିଥିଲେ । ହେଲେ ସେ ଏହି କାର୍ଯ୍ୟ ପାଇଁ ମାନସିକ ଭାବେ ପ୍ରସ୍ତୁତ ନ ଥିବାରୁ ଏଥିରେ ସନ୍ତୁଷ୍ଟ ନଥିଲେ ଓ ଏହି କାର୍ଯ୍ୟ କରିବାକୁ ମନା କରୁଥିଲେ । କିନ୍ତୁ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଅଣଦେଖା କରିଥିଲା । ନିକଟରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଥିବା ବେଳେ ଗଣେଶ ନିଜ ସମସ୍ୟା ଉପସ୍ଥାପନ କରିଥିଲେ । ଏହାକୁ ନେଇ ତାଙ୍କ ତତ୍କ୍ଷଣାତ ଉପରିସ୍ତ ଅଧିକାରୀ ନାନା ଭାବେ ଗାଳିଗୁଲଜ କରିବା ସହ ତାଙ୍କ କ୍ୟାରିୟର ବରବାଦ କରିବାକୁ ଧମକ ଦେଇଥିଲେ ତେଣୁ ସେ କାର୍ଯ୍ୟ ଚାପ ଓ ସର୍ବସମ୍ମୁଖରେ ଅପମାନିତ ହେବାକୁ ସହ୍ୟ କରି ନ ପାରି ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି ।