ଅମ୍ବିକା ପ୍ରସାଦ ପଣ୍ଡା ହେଲେ ନୂତନ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ

0

କଣିହାଁ /ଜ୍ୟୋତିରଞ୍ଜନ ଧର : ଅନୁଗୋଳ ଜିଲ୍ଲା ନାଲକୋ ସ୍ମେଲଟର ତଥା ପାୱାର କମ୍ପ୍ଲେକ୍ସର ନୂତନ କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ ଅମ୍ବିକା ପ୍ରସାଦ ପଣ୍ଡା ରବିବାର ଯୋଗ ଦେଇଛନ୍ତି । ସିପିପି ପ୍ରଶାସନିକ କାର୍ୟ୍ୟାଳୟର କର୍ମଚାରୀ ମାନଙ୍କ ତରଫରୁ ଆଜି ତାଙ୍କୁ ସ୍ବାଗତ କରାଯାଇଥିଲା।ନୂତନ ଜିଏମ୍ ସିପିପି ସରୋଜ ମିଶ୍ର ଓ ଜିଏମ ଅପରେସନ ଓ ମେଣ୍ଟେନାନ୍ସ ସୁଧୀର ପଟନାୟକଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଶ୍ରମିକ ନେତା ବିଭବ ଜେନା ନୂତନ ଇଡିଙ୍କୁ ସମର୍ଦ୍ଧନା ଦେବା ସହିତ ସିପିପି ପ୍ଲାଣ୍ଟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ, ନାଲକୋର ଲାଇଫ ଲାଇନ କୁହା ଯାଉଥିବା ଲୀନସ୍ ଲରି ପ୍ରୋଜେକ୍ଟକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା, ୪୦ବର୍ଷର ପୁରୁଣା ପ୍ଲାଣ୍ଟର ସଠିକ୍ ରକ୍ଷଣା ବେକ୍ଷଣ , ସମ୍ବେଦଶୀଳ ବିଭାଗରେ ସଠିକ୍ ସମୟରେ ଅଧିକାରୀ ମାନଙ୍କୁ ପରିବର୍ତ୍ତନ କରିବା ତଥା ପ୍ଲାଣ୍ଟର ଅନ୍ୟାନ୍ୟ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ନବନିଯୁକ୍ତ ନିର୍ବାହୀ ନିର୍ଦେଶକ ସମସ୍ୟାର ତୁରନ୍ତ ସମାଧାନ ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଶୁଭ୍ରାଂଶୁ ବେହେରା, ପି.କେ. ମିଶ୍ର, ଶରତ ସେଠୀ , ବିଜୟ ଦାସ, ରବୀନ୍ଦ୍ର ଓଝା, ଗତି କୃଷ୍ଣ ବେହେରା, ଦୀପକ୍ ସାନ୍ତ୍ରା, ଅରୁଣ ମହାନ୍ତି, ସନ୍ଦୀପ ଘାଣ୍ଟି, ଶରତ ପ୍ରଧାନ,ନୀଳ ରଥ, ଟି ଏନ୍ ବେହେରା, ସୁନନ୍ଦା ମହାନ୍ତି, କଲ୍ୟାଣୀ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ ।