ଅସଲ ଦଙ୍ଗାକାରୀ ହେଲେ ରାହୁଲ ଓ ପ୍ରିୟଙ୍କା: ଅମିତ ଶାହା

0

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ଦଙ୍ଗା ପାଇଁ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ଭଗ୍ନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦାୟୀ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି। ସିଏଏକୁ ନେଇ ଏହି ଦୁଇ ବିରୋଧୀ ଦଳ ନେତା ସାଧାରଣ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସାଙ୍ଗକୁ ସେମାନଙ୍କୁ ଭୁଲ୍‌ ବାଟରେ ନେବାକୁ ଚେଷ୍ଟା କରିଛନ୍ତି । ଏହା ଫଳରେ ଦେଶର ବହୁ ନିରୀହ ଲୋକଙ୍କର ଜୀବନ ଯାଇଛି।

ଆଜି ଦିଲ୍ଲୀରେ ବିଜେପିର ଏକ  ସମାବେଶରେ ଯୋଗଦାନକରି ଅମିତ କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ସିଏଏ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ବି ନାଗରିକତା ହରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ଅମିତ ସ୍ପଷ୍ଟ କରିଛନ୍ତି।

ସିଏଏ ସହ ଏନ୍‌ଆର୍‌ସିର କୌଣସି ସମ୍ପର୍କ ନାହିଁ ବୋଲି ମତ ରଖି ଶାହ କହିଛନ୍ତି ଯେ ଦେଶରେ ମୁସ୍‌ଲିମ୍‌ ନାଗରିକଙ୍କ କ୍ଷେତ୍ରରେ ଅଯଥା ଭୟ ସୃଷ୍ଟି ପାଇଁ କଂଗ୍ରେସ ନେତାମାନେ ଅହରହ ଉଦ୍ୟମ କରିବାରେ ଲାଗିଛନ୍ତି। ସିଏଏ ଓ ଏନ୍‌ଆର୍‌ସିକୁ ନେଇ ବିରୋଧୀମାନେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ଦେଶବାସୀ ଠିକ୍‌ ବୁଝିଲେଣି ବୋଲି ଅମିତ ଶାହା କହିଛନ୍ତି।