ଆଜି ଆଇପିଏଲରେ କୋଲକାତା-ହାଇଦ୍ରାବାଦ ମୁକାବଲା

0

ଚେନ୍ନାଇ: ଆଇପିଏଲ ସିଜନ ୧୪ର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଗତବର୍ଷ ଯଥାକ୍ରମେ ପଞ୍ଚମ ଓ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲେ ଏହି ଦୁଇ ଦଳ । ତେବେ ଚଳିତ ବର୍ଷ ଏହି ସଂସ୍କରଣରେ ବିଜୟ ସହ ଅଭିଯାନ ଆରମ୍ଭ କରିବା ଦୁଇ ଦଳର ଲକ୍ଷ ରହିବ । ଉଭୟ ଦଳରେ ରହିଛନ୍ତି ଦୁଇ ଜଣ ଦକ୍ଷ ବିଦେଶୀ ଅଧିନାୟକ । ୨୦୧୯ ବିଶ୍ୱକପ ବିଜେତା ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ କୋଲକାତାର ନେତୃତ୍ୱ ନେଉଥିବା ବେଳେ ୱାର୍ଣରଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ହାଇଦ୍ରାବାଦ । ନିଜ ଦମ୍ରେ ହାରିବା ମ୍ୟାଚ ଜିତାଇବାରେ ମାହିର ଡାଭିଡ ୱାର୍ଣର ଏବଂ ଇଓନ୍ ମୋର୍ଗାନ ।
ଉଭୟ ଦଳରେ ଷ୍ଟାର ଖେଳାଳୀଙ୍କ ଅଭାବ ନ ଥିବାରୁ ଆଜିର ମ୍ୟାଚ ଚିତ୍ତାକର୍ଷକ ରହିବ ବୋଲି ଆଶା କରାଯାଉଛି । କେକେଆରର ଶୀର୍ଷକ୍ରମରେ ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ନୀତିଶ ରାଣା ଥିବାବେଳେ ଦିନେଶ କାର୍ତ୍ତିକ ଓ ଇଓନ ମୋର୍ଗାନ ମଧ୍ୟକ୍ରମ ଭାର ସମ୍ଭାଳିବେ । ତେବେ ଦୀର୍ଘ ଦିନ ପରେ ନିଜ ପୁରୁଣା ଦଳକୁ ଫେରିଥିବା ସାକିବ ଅଲ ହସନ, ଗତବର୍ଷ ଫ୍ଲପ ହୋଇଥିବା ଆନ୍ଦ୍ରେ ରସଲ ଏବଂ ସୁନୀଲ ନାରାୟଣ ଦଳର ଅଲରାଉଣ୍ଡରର ଭୂମିକା ଗ୍ରହଣ କରିବେ । ସେପଟେ ପ୍ରସିଦ୍ଧ କୃଷ୍ନା, କୁଳଦୀପ ଯାଦବଙ୍କ କାନ୍ଧ ଉପରେ ରହିବ ବୋଲିଂ ୟୁନିଟର ଭାର ।
ଅପର ପକ୍ଷରେ ଅରେଞ୍ଜ ଆର୍ମିର ପାଳି ଆରମ୍ଭ କରିବେ ଜବରଦସ୍ତ ଫର୍ମରେ ଥିବା ଜନି ବେୟରଷ୍ଟୋ ଏବଂ ଡାଭିଡ ୱାର୍ଣର । ମିଡିଲ ଅର୍ଡରରେ ମନୀଷ ପାଣ୍ଡେ, ରିଦ୍ଧିମାନ ଶାହା ଥିବାବେଳେ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ଫନିସରର ରୋଲ । କିନ୍ତୁ ସ୍ୱିଙ୍ଗ୍ର ରାଜକୁମାର ଭୁବନେଶ୍ୱର କୁମାର, ୟର୍କର ସ୍ପେଶାଲିଷ୍ଟ ଟି ନଟରାଜନ ଏବଂ ସବୁଠାରୁ ସଫଳ ସ୍ପିନର ରାସିଦ ଖାନ ବୋଲିଂକ୍ରମକୁ ବେଶ୍ ସନ୍ତୁଳିତ ମନେ ହେଉଛି । ତେବେ ଆଜିର ଏହି କଡା ଟକ୍କରରେ କିଏ ମାରିବ ବାଜି ତାହା ଦେଖିବାକୁ ବାକି ରହିଲା ।