ଆମ ହସ୍ପିଟାଲ ରୂପାନ୍ତରଣ କାର୍ୟ୍ୟକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱଦେଇଛନ୍ତି । କ୍ଷେତ୍ରସ୍ତରୀୟ କାର୍ୟ୍ୟାନ୍ୱୟନ ଓ ତଦାରଖ ପାଇଁ ଜିଲ୍ଲା କମିଟି ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡାଯାଇ ପାରିବ ଏବଂ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞନ ପୂଜାରୀ କହିଛନ୍ତି ।
ତେବେ ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ୟ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଛନ୍ତି । ଏ ବିଷୟରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କାର୍ୟ୍ୟାଳୟ ବିଜ୍ଞାପନ ସଂଖ୍ୟା – ୬୩୪୦ ରେ ସବିଶେଷ ଆଦେଶନାମା ଓଡ଼ିଶା ଗ୍ୟାଜେଟରେ ପ୍ରକାଶ ହେବା ସହ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି ।