ଭୁବନେଶ୍ୱର: ଛତିଶଗଡର ଜାଗିରିଚାମ୍ପା ଜିଲ୍ଲାରେ ୮୦ ଫୁଟ ବୋରୱେଲରେ ଖସିପଡିଥିବା ରାହୁଲ ସାହୁକୁ ଉଦ୍ଧାର କରିବା ଲାଗି ଓଡି଼ଶାର ଏନଡିଆରଏଫ ଟିମ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଦୀର୍ଘ ୧୦୫ ଘଣ୍ଟାର ଅପରେସନ ପରେ ରାହୁଲକୁ ଉଦ୍ଧାର କରାଯାଇଥିଲା। ରାହୁଲ ଦୀର୍ଘ ୧୦ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଶନିବାର ଡିସଚାର୍ଜ କରାଯାଇଛି। ଏହି ଅବସରରେ ସମାଜସେବୀ ଚିନ୍ମୟ ଦାସ ଓ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ ପାଇକରାୟଙ୍କ ନେତୃତ୍ୱରେ ମହାବୀର ସାମାଜିକ ସଂଗଠନ ଓ ରୋଟାରୀ ଗାଲାକ୍ସିର ମିଳିତ ସହଯୋଗରେ ଏନଡିଆରଏଫ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି। ମୁଣ୍ଡଳୀ ସ୍ଥିତ ଏନଡିଆରଏଫ କ୍ୟାମ୍ପସ ହଲରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୩୩ ଜଣ ଟିମ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ଟ୍ରଫି ପ୍ରଦାନ କରାଯିବା ସହ ଟୋଟାଲ୍ ଟିମ୍କୁ ଏକ ଟ୍ରଫି ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଟିମ ମୁଖ୍ୟ ଥାର୍ଡ ବାଟାଲିୟନ ଏନଡିଆରଏଫ କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର, ହେଡ୍ କନେଷ୍ଟବଳ ରାଜେଶ ମୀନା, ହେଡ୍ କନେଷ୍ଟବଳ ସୁରେଶ ସୋରେନ୍, କନେଷ୍ଟବଳ ବାଟ୍ଟାରାମୁ, କନେଷ୍ଟବଳ ସନ୍ଦୀପ କୁମାରଙ୍କ ସମେତ ଅନେକ ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଦ୍ୱାରା ସେମାନଙ୍କର ମନୋବଳ ବୃଦ୍ଧି ଘଟିବ ବୋଲି ସମାଜସେବୀ ଶ୍ରୀ ଦାସ ଓ ଶ୍ରୀ ପାଇକରାୟ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମଲ୍ଲିକ, ରଜନୀ ରାଣୀ ରାଜହଂସ, ଉତ୍ତମା ପ୍ରହରାଜ, ଜୟକୃଷ୍ଣ ରାଜହଂସ, ଶୈଳେନ୍ଦ୍ର ପ୍ରସାଦ ରାୟ, ଅନୁଜ ଚନ୍ଦନ ନାୟକ, ଶାଶ୍ୱତ ଲେଙ୍କା, ସନ୍ତୋଷ ଜେନା ଓ ବିଶ୍ୱନାଥ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।