ଏବର୍ଷ ସିଭିଲ ସର୍ଭିସ କୋଚିଂରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ

ପ୍ରଶାସନିକ ପରୀକ୍ଷାରେ ଓଡି଼ଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

0

ଭୁବନେଶ୍ୱର: ଆଉ ଆଗ ଭଳି ଓଡି଼ଆ ପ୍ରଶାସନିକ ଅଧିକାରୀ ବାହାରୁ ନାହାଁନ୍ତି। ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ପୂର୍ବାପେକ୍ଷା ସଫଳତା ହାର କମୁଛି। ଓଡି଼ଆ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ସେବା ପରୀକ୍ଷା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟସ୍ତରରେ ପ୍ରଶିକ୍ଷଣ ଦେଲେ। ୩ରୁ ୪ ବର୍ଷ ମଧ୍ୟରେ ୯ ବିଶ୍ୱବିଦ୍ୟାଳୟ ପାଇଁ ୨ କୋଟିରୁ ଊର୍ଦ୍ଧ ଟଙ୍କା ଖର୍ଚ୍ଚ ହେଲା। ହେଲେ ଜଣିଏ ବି ଛାତ୍ରଛାତ୍ରୀ ସଫଳ ହେଲେ ନାହିଁ। ଫଳରେ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନାକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଆଉ ଏବେ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ ପ୍ରଶିକ୍ଷଣ ପାଇଁ ବିଭାଗ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯୋଜନା କରୁଛି। ହେଲେ ବିଭାଗ ନିକଟରେ ପିଲାଙ୍କ ସଫଳତା ହାର ନେଇ କୌଣସି ତଥ୍ୟ ନାହିଁ। ଯାହାକି ଏହାର ଅପାରଗତାକୁ ଦର୍ଶାଇବା ସହିତ ନୂଆ ଯୋଜନାର ରୂପରେଖ କଣ ରହିବ ସେନେଇ ନିର୍ଦ୍ଧାରଣ ହୋଇପାରୁନି। ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବୈଠକ ବସିଥିଲାବେଳେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ୟୁପିଏସସି ପରୀକ୍ଷାରେ ଓଡି଼ଆ ପିଲାଙ୍କ ସଫଳତା ହାର କମୁଥିବାରୁ ସମାଧାନ ପାଇଁ ଗରିବ ମେଧାବୀ ପିଲାଙ୍କୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟସ୍ତରରେ ମାଗଣା କୋଚିଂ ଦେଲେ। ଏକ ଘରୋଇ ସଂସ୍ଥାକୁ ସରକାର ଦାୟିତ୍ୱ ଦେଲେ। ହେଲେ ୪ ବର୍ଷରେ କୌଣସି ସୁଫଳ ନମିଳିବାରୁ ବିଗତ ଦୁଇ ବର୍ଷ ହେଲା ଏହି ଯୋଜନା ବନ୍ଦ ରହିଛି। ବିଗତ ବର୍ଷରେ କେତେ ଓଡି଼ଆ ସଫଳ ଓ ଅସଫଳ ହୋଇଛନ୍ତି ସେମାନେ ତଥ୍ୟ ମଗାଯାଇଥିବାବେଳେ ବିଭାଗ ପାଖରେ କୌଣସି ତଥ୍ୟ ନାହିଁ। ପିଲାଙ୍କ ସଫଳତା ହାର ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ବୈଠକରେ ପରାମର୍ଶ ଦେବା ସହ ପରବର୍ତ୍ତୀ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦର୍ଶାଯାଉଛି। ତଥ୍ୟ ଆଧାରରେ ନୂଆ ଯୋଜନା ଓ ଭିତ୍ତିଭୂମି ଲାଗି ପ୍ରସ୍ତୁତ କରାଯିବ। ମେଧାବୀ ପିଲାଙ୍କୁ ଆର୍ଥିକ ସହାୟତା ପାଇଁ ଚଳିତ ବର୍ଷରୁ ବିଭାଗ ଯୋଜନା କରୁଛି। ପ୍ରିଲିମ ପରୀକ୍ଷା ଉତ୍ତୀର୍ଣ୍ଣ ହେଉଥିବା ପିଲାଙ୍କୁ ମେନ ପରୀକ୍ଷା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡିଛି।