ଏସସିବିରେ କରୋନା ଆଇସୋଲେସନ ୱାର୍ଡ ପାଇଁ ପ୍ରସ୍ତୁତି ଜୋରଦାର

0

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ଦିନକୁ ଦିନ ସାରାଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର କୋରନା ସଂକ୍ରମଣ ରୋକିବା ପାଇଁ ସ୍କୁଲ, କଲେଜ ସମେତ ସଭାସମିତି ଉପରେ ରୋକ ଲଗାଇଛନ୍ତି। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜିଯାଇଛି। ରାଜ୍ୟରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର କଟକ ବଡ଼ ମେଡିକାଲରେ ପର୍ୟ୍ୟାପ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଏଥିନେଇ ସୋମବାର ଦିନ ତମାମ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏସ୍ସି ବି କର୍ତ୍ତୃପକ୍ଷଙ୍କ ସହିତ ଘନଘନ ବୈଠକ କରିଥିଲେ। ଏସସିବିରେ ଏକକାଳୀନ ୧୦୦୦କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ସୁବିଧା ଉପଲବ୍ଧ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ୨ରୁ ୩ଦିନ ମଧ୍ୟରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯିବ। ଏଥିସହିତ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇ ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏ ପର୍ୟ୍ୟନ୍ତ ୧୫୫ଦେଶ କରୋନାରେ ପ୍ରଭାବିତ ହୋଇସାରିଲେଣି । ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ବିଦେଶରୁ ରାଜ୍ୟକୁ ଫେରୁଥିବା ଲୋକଙ୍କ ସମ୍ପର୍କରେ ପ୍ରଶାସନକୁ ଜଣାଇବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ବ୍ୟାପିଲେ ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କୁ ସରକାରୀ ମେଡିକାଲରେ କିପରି ପର୍ୟ୍ୟାପ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ଦିଗରେ ମଧ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଏସସିବି ଚକ୍ଷୁ ବିଭାଗର ୪ର୍ଥ ମହଲାରେ କରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଆଇସିୟୁ ଏବଂ ଆଇସୋଲେସନ ୱାର୍ଡ ଖୋଲାଯାଇଛି। ଏଥିରେ ୫୪ଟି ଶଯ୍ୟା ଏବଂ ୮ଟି ଆଇସିୟୁ ଶଯ୍ୟା ରହିଛି। ୩ଜଣ ଡାକ୍ତର, ୧୦ଜଣ ସେବିକା ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମଧ୍ୟ ଡାକ୍ତର ଓ ସେବିକାଙ୍କୁ ଆବଶ୍ୟକ ପୋଷାକ, ମାସ୍କ ଏପଂ ପ୍ରତିଷେଧକ ସାମଗ୍ରୀ ଯୋଗାଇ ଦିଆଯାଇଛି।