କୋଭିଡ କେୟାର ହୋମ ପରିଚାଳନା ସମ୍ପର୍କିତ ବୈଠକ

0

(ଜୟନ୍ତ କୁମାର ସେଠୀ /ପୁରୀ): କରୋନା ମୁକାବିଲାକୁ ଜିଲ୍ଲାରେ ଯୋର କରାଯାଇଛି । ବାହାର ଜିଲ୍ଲା ବାସିନ୍ଦାଙ୍କ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଏନେଇ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ବାହାରୁ ଆସୁଥିବା ଜିଲ୍ଲା ବାସିନ୍ଦାଙ୍କୁ ସଙ୍ଗରୋଧ ଭାବେ ରଖାଯିବ । ବିବାହ ଭଳି ସାମାଜିକ କାର୍ୟ୍ୟକୁ ଅନୁମତି ପ୍ରଦାନ କରାଯିବ ଓ ଉତ୍ସବ ପାଳନ ବେଳେ ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ନୀୟମକୁ କଡାକଡି କରାଯାଇଛି । କୋଭିଡ ମୁକାବିଲା ସହ କୋଭିଡ କେୟାର ହୋମର ସୁପରିଚଳନା ନିମନ୍ତେ ସହର ଓ ଗ୍ରାମାଞ୍ଚଳରେ କମିଟ ଗଠନ କରାଯାଇଛି । ସଂକ୍ରମଣ ଲକ୍ଷଣ ଆଶଙ୍କା ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉକ୍ତ ହୋମରେ ରଖାଯିବ । ପ୍ରତ୍ୟେକ ଘରୁ ୬୫ ବର୍ଷ ବୟସରୁ ଅଧିକ ଓ ୫ ବର୍ଷରୁ କମ୍, ଗର୍ଭବତୀ ମହିଳା, କର୍କଟ, ଟିବି ଏବଂ ମଧୁମେହ ଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇ ସଚେତକ ଆପ୍ ରେ ଅପଲୋଡ କରାଯିବ । ଏଥିପାଇଁ ଆଶା, ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟ କର୍ମୀ ମୁତୟନ ହେବେ । କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରୁନଥିବା ସଂପର୍କରେ ପ୍ରମାଣ ସହ ତଥ୍ୟ ଦେଲେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜିଲ୍ଲପାଳ ନିର୍ଦ୍ଧେଶ ଦେଇଛନ୍ତି । ଯୋରିମାନା ବାବଦ ଅର୍ଥ ସେମାନଙ୍କ ଦରମାରୁ କଟାଯିବ । ଏସଂକ୍ରାନ୍ତୀୟ ତଥ୍ୟ ଦେବାକୁ ସର୍ବସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ମଧ୍ୟକୁ ପ୍ରବେଶ ସଂକ୍ରାନ୍ତରେ ୬୩୭୦୯୬୭୧୦୦, ସଙ୍ଗରୋଧ କେନ୍ଦ୍ର, କୋଭିଡ ପରୀକ୍ଷା ଏବଂ ଜିଲ୍ଲାରେ ଅଜଣା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ଦେବାକୁ ୬୩୭୦୯୭୨୧୦୦ ଏବଂ ସଂକ୍ରମଣ ଆଶଙ୍କା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ଦେବାକୁ ୦୬୭୫୨୨୨୨୧୭୫ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ଓ ଶ୍ରୀ ସୁବାସ ନାଥଶର୍ମା, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ବିଜୟ ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶାନ୍ତନୁ କୁମାର ଦାସ, ଟ୍ରାଫିକ ଥାନାଧିକାରୀ ଶ୍ରୀ ଗୋକୁଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।