ଗଠନ ହେବ ଓଡିଶା ବିଧାନ ପରିଷଦ ?

0

ରିିପୋର୍ଟସ ଟୁଡ଼େ (ଭୁବନେଶ୍ୱର): ଓଡ଼ିଶାରେ ବିଧାନ ପରିଷଦ ଗଠନ କୁ ଖୁବ ଶୀଘ୍ର ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାର ସମ୍ଭାବନା ରହିଛି | ଏନେଇ ସଂସଦର ଆଗାମୀ ଶୀତ ଅଧିବେଶନ ରେ ଓଡିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ଆଣିବା ପାଇଁ ସବୁଜ ସଂକେତ ମିଳିଥିବା ଜଣାପଡିଛି |ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିବା ଉପରେ ବିଜେଡି ଏବେ ଅଧିକ ଗୁରୁତ୍ୱ ଦେଉଛି |କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ  ନେତୃତ୍ୱରେ ପୁଣିଥରେ ସରକାର ଆସିବାପରେ ଦୁଇ ଦଳ ମଧ୍ୟରେ ନୁଆଁ ସମୀକରଣ ସୃଷ୍ଟି ହୋଇଛି |ଯାହାର ସ୍ପଷ୍ଟ ଆଭାସ ସଂସଦର ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିଥିଲା |ସଂସଦରେ ମୋଦି ସରକାରଙ୍କ ୩୦ ବିଲକୁ ବିଜେଡି ଏକତରଫା ସମର୍ଥନ ଦେଇ ନିକଟତର ହେବାକୁ ଉଦ୍ୟମ କରିବାସହ କେନ୍ଦ୍ର ସରକାରରେ ପଡିରହିଥିବା ନିଜର ପ୍ରମୁଖ ବିଲ ଓ ପ୍ରସ୍ତାବକୁ ଅନୁମୋଦନ କରାଇ ନେବାକୁ ପ୍ରୟାସ ଜୋରଦାର କରିଛି |ସୂଚନା ଅନୁସାରେ ରାଜ୍ୟ ସରକାର ଏବେ ଓଡିଶା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସଂସଦର ଅନୁମୋଦନ ମିଳିବାକୁ ସର୍ବାଧିକ ପ୍ରାଥମିକତା ଦେଉଛି |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୨୦୧୫ ମସିହାରେ ଓଡିଶା ବିଧାନ ପରିଷଦ ଗଠନ ନିମନ୍ତେ ଏକ କମିଟି ଗଠନ କରିଥିଲେ |ଏହି କମିଟି ଗତବର୍ଷ ଅଗଷ୍ଟ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ରିପୋର୍ଟ ଦେବାପରେ ତାହା ଗତବର୍ଷ ଅଗଷ୍ଟ୨୪ ତାରିଖରେ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା |ସମ୍ବିଧାନର ଧାରା -୭୧ ଅନୁସାରେ ଓଡ଼ିଶାରେ ଏକ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଧ୍ୟ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟ ବିଧାନସଭାର ଅନୁମୋଦନ ମିଳିଥିଲା |ଏହି ବିଧାନ ପରିଷଦ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଡ଼ିରହିଛି |ବିଧାନ ପରିଷଦରେ ସର୍ବାଧିକ୪୯ ଜଣ ସଦସ୍ୟ ରହିବାର ପ୍ରାବଧାନ ଥିବାରୁ ବିଜେଡି ନିଜର ପରାଜିତ ଓ ଟିକେଟ ପାଇନଥିବା ନେତାଙ୍କୁ ଏଠାରେ ଥଇଥାନ କରିବାକୁ ଲକ୍ଷ୍ୟ ରଖିଛି |ସୂଚନାଯୋଗ୍ୟ ଏବେ ବିହାର ,ଆନ୍ଦ୍ରପ୍ରଦେଶ ,କର୍ଣ୍ଣାଟକ,ତେଲେଙ୍ଗାନା ,ଉତ୍ତରପ୍ରଦେଶ ଓ ଆନ୍ଦ୍ରପ୍ରଦେଶରେ ବିଧାନ ପରିଷଦ କାର୍ଯ୍ୟକରୁଛି |