(ଓମ୍ ପ୍ରକାଶ ମିଶ୍ର /ସୋନପୁର):ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୫ ଜଣ କରୋନା ଆକ୍ରାନ୍ତ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଯୋଗୁଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ପ୍ରଶାସନ ଏଭଳି କଡ଼ା କଟକଣା ଜାରିକରିଛି । ଅନ୍ୟପକ୍ଷରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ମଧ୍ୟ କରାଯାଇଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ କାର୍ୟ୍ୟାଳୟର ଜରୁରୀ ବିଭାଗ ପତ୍ର ସଂଖ୍ୟା୯୬୭/୮.୭.୨୦ଅନୁସାରେ ଜାରି କରାଯାଇଥିବା କଟକଣା ଅନୁଯାୟୀ ଜିଲ୍ଲାରେ ପ୍ରତ୍ୟେକ ଦିନ ସଂଧ୍ୟା ୭ ଘଣ୍ଟାରୁ ସକାଳ ୭ଘଣ୍ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଜୁଲାଇ ୩୧ ପର୍ୟ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ଏପରିକି ଜିଲ୍ଲାରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହଟସ୍ପଟ ଜିଲ୍ଲାରୁ ଆସୁଥିବା ସମସ୍ତଙ୍କୁ ବାଧ୍ୟତାମୂଳକ ଭାବେ ୧୪ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ହେବ ବୋଲି କହିଛନ୍ତି । ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ତଥା ଜରୁରୀକାଳୀନ ରୋଗୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ ଦୁଇଟି ଆଇସିୟୁ ବେଡ଼ର ବ୍ୟବସ୍ଥା କରାଯାଇଛି । ଏଥିରେ ଫ୍ଲୁଇଡ଼ୱାର୍ଣ୍ଣର, ପେସେଣ୍ଟ ୱାର୍ଣ୍ଣର,ବିଆଇପିଏପିସହ ଉଭୟ ପାଇପ୍ଓ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ୍ ସପୋର୍ଟ ଦେବାର ବ୍ୟବସ୍ଥା କରାଯାଇଛି ତଥା ଜରୁରୀକାଳୀନ ରୋଗୀ ଯେପରି ତୁରନ୍ତ ଚିକିତ୍ସାସେବା ପାଇପାରିବେ ସେଥିପାଇଁ ଏ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।