ଡାକ୍ତର କହି ବାହା ହେଲେ ଯନ୍ତ୍ରୀଙ୍କ ପୁଅ, ଡାକ୍ତରାଣୀ ଥାନା ଦ୍ୱାରସ୍ଥ

0

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ପୁଅ ଯୁକ୍ତି ଦୁଇ ଫେଲ,ହେଲେ ପୁଅ ଡାକ୍ତର ବୋଲି କହି ଜଣେ ଡାକ୍ତରାଣୀଙ୍କୁ ବିବାହ କରି ଦେଇଥିଲେ । ବାହାଘରର ୫ଦିନ ପରେ ଡାକ୍ତରାଣୀ ବୋହୂ ଘର ଛାଡି ପଳାଇ ଆସିଲେ । ତେବେ ଏହି ଘଟଣା ଏତିକିରେ ଶେଷ ହୋଇନାହିଁ । ମିଛ କହି ବାହା କରାଯାଇଥିବା ଶ୍ୱଶୁର ଓ ଶାଶୂଙ୍କ ବିରୋଧରେ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଭଳି ଅଭିଯୋଗ ଘଟିଛି ରାଜଧାନୀରେ ।
ଅଭିଯୋଗରୁ ଜଣାପଡିଛି, ଠକାମିର ଶିକାର ହୋଇଥିବା ଡାକ୍ତରାଣୀ ଏମସରୁ ପାସ କରିଛନ୍ତି । ଡାକ୍ତରାଣୀଙ୍କ ମା’ ମଧ୍ୟ ଜଣେ ଡାକ୍ତର । ତେବେ ଗତବର୍ଷ ମେ ମାସରେ ଜଣେ ଅବସରପ୍ରାପ୍ତ ଯନ୍ତ୍ରୀ ମୁଖ୍ୟ ତାଙ୍କ ପୁଅ ଡାକ୍ତରୀ ପାସ କରିଛି ବୋଲି ପ୍ରସ୍ତାବ ଦେଇଥିଲେ । ତେବେ ଭଲ ପ୍ରସ୍ତାବ ହୋଇଥିବାରୁ ଡାକ୍ତରାଣୀ ରାଜି ହୋଇଯାଇଥିଲେ । ବାହାଘରର ମାତ୍ର ୫ଦିନରେ ଡାକ୍ତରାଣୀ ଜଣକ ତାଙ୍କ ସ୍ୱାମୀଙ୍କ ହାବଭାବରୁ ସନ୍ଦେହ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ସେ କେଉଁଠାରୁ ଡାକ୍ତରୀ ପାସ କରିଛନ୍ତି ତାହା ଦେଖାଇବାକୁ କହିଥିଲେ । ତାଙ୍କ ସ୍ୱାମୀ ଯୁକ୍ତଦୁଇ ପାସ କରିନଥିବା କହିଥିଲେ । ବାପା ତାଙ୍କୁ ଡାକ୍ତର ବୋଲି କହି ବାହା କରାଇ ଦେଇଥିବା ସତ କହିଦେଇଥିଲେ । ଏହା ଜାଣିବା ପରେ ଡାକ୍ତରାଣୀ ତୁରନ୍ତ ଘର ଛାଡି ପଳାଇ ଆସିଥିଲେ । ଠକାମିର ଶିକାର ହୋଇଥିବା ନେଇ ଗତ ସପ୍ତାହରେ ସ୍ଥାନୀୟ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।