ଦୁଇ ଗ୍ରାମର ୬୦ ପରିବାର ପାଣିଘେରରେ

0

ଉଦଳା, ଦୀପକ ମିଶ୍ର: – ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କପ୍ତିପଦା ଉପଖଣ୍ଡ ସ୍ଥିତି ବେହାଲ । ଗତକାଲି ରାତିରେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବିଶେଷକରି ନାଲୁହା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବନ୍ୟା ଜଳ ଗ୍ରାମ ଭିତରକୁ ପ୍ରବେଶ କରିଛି । ଗ୍ରାମର ଅନେକ ଘର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଖୁଂଟା ବ୍ଲକର ଟିକରପଡା, କଇମ ଗ୍ରାମ ଭିତରକୁ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଦୁଇ ଗୋଟି ଗ୍ରାମର ପାଖାପାଖି ୬୦ ପରିବାର ପାଣି ଘେରରେ ରହିଛନ୍ତି । ଆଜି ସକାଳ ସମୟରେ ହଠାତ ନଦୀର ପାଣି ଗ୍ରାମ ଆଡକୁ ମାଡି ଆସିଥିଲା । ପରେ ଲୋକେ ଜୀବନ ବଂଚାଇବାକୁ ଘରୁ ବାହାରି ଆସିଥିବା ବେଳେ ଆସବାବପତ୍ର ଘର ଭିତରେ ରହିଯାଇଛି । କିଛି ଲୋକ ଆସବାବପତ୍ର ବାହାର କରିଥିବା ବେଳେ ଅନେକଙ୍କ ଘର ଭିତରେ ଏବେ ବି ଆଣ୍ଠୁଏ ଲେଖାଏଁ ପାଣି । ହେଲେ ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ନିକଟରେ ପହଂଚି ନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।