ନିର୍ବାଚନ ପ୍ରକ୍ରିୟା ଆରମ୍ଭ

0

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି। ଚଳିତ ମାସ ୧୭ ରୁ ୨୧ ତାରିଖ ପର୍ୟ୍ୟନ୍ତ ମନୋନୟନ ପତ୍ର ନିର୍ଗମନ ସହ ପ୍ରଦାନ କରିବା ପାଇଁ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ। ତେବେ ମନୋନୟନର ପ୍ରଥମ ଦିନରେ ହିଞ୍ଜିଳିକାଟୁ ବ୍ଳକରେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ୪୦ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି ବୋଲି ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଜଣାଇଛନ୍ତି।
ପ୍ରକାଶ ଥାଉକି ମନୋନୟନ ଦାଖଲର ପ୍ରଥମ ଦିନରେ ହିଞ୍ଜିଳିକାଟୁ ବ୍ଳକରେ ସିକିରି ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିରଞ୍ଜନ ସ୍ବାଇଁ ମନୋନୟନ ପତ୍ର ଦାଖଲ କରିଥିବା ବେଳେ, ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଯଥା ବୁରୁପଡ଼ାର ୬ଜଣ, ଚାନ୍ଦୁଲିର ୩ଜଣ, ଗଣ୍ଡଳାର ୧୦ଜଣ, ଦୁର୍ବନ୍ଧର ୫ଜଣ, ପୁଟିଆପଦରର ୪ଜଣ, ଭାବନ୍ଧର ଜଣେ ଓ ସିକିରିର ୧୧ଜଣଙ୍କୁ ମିଶାଇ ସମୁଦାୟ ୪୦ ଜଣ ୱାର୍ଡ ମେମ୍ବର ପଦବୀ ନିମନ୍ତେ ମନୋନୟନ ଦାଖଲ କରିଛନ୍ତି।