ପୌର ଭୋଟ ପାଇଁ ବିଜେଡିର ସଜବାଜ

0

 (ହରପ୍ରସାଦ ବିଷୋୟୀ)ଭୁବନେଶ୍ୱର: ବିଜେଡି ଏବେ ପୌର ନିର୍ବଚନ ପାଇଁ ସଜବାଜ ହେଉଛି।ସଭ୍ୟ ସଂଗ୍ରହ ଅଭିଯାନରୁ ଦଳ ପୌର ଭୋଟ ମୁହାଁ ହୋଇଥିବା କୁହାଯାଉଛି। ଏହି ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଯୁବ ଭୋଟରଙ୍କ ଉପରେ ଫୋକସ୍‌ କରୁଛି।ଅଧିକ ଯୁବ ଭୋଟର କେମିତି ବିଜେଡିର ସଭ୍ୟ ହେବେ ସେନେଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାମାନେ ଗୁରୁତ୍ୱ ଦେଉଛନ୍ତି।୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଗଠନ ହୋଇଥିଲା ବିଜୁ ଯୁବ ବାହିନୀ। ୬ ହଜାର ୭୯୯ ଗ୍ରାମପଞ୍ଚାୟତ ଏବଂ ୧୧୪ ପୌରାଞ୍ଚଳରେ ବିଜୁ ଯୁବ ବାହିନୀ ଗଠନ ହୋଇଥିଲା। ଏମାନଙ୍କୁ ସରକାର ସ୍ୱେଚ୍ଛାସେବୀର ମାନ୍ୟତା ଦେଇଥିଲେ। ହେଲେ ଅସଲ କଥା ହେଲା ଯୁବ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ବିଜୁ ଯୁବ ବାହିନୀରେ ସାରା ରାଜ୍ୟରେ ପ୍ରାୟ ୩ ଲକ୍ଷ ସଦସ୍ୟ ରହିଥିଲେ।ଏଣୁ ପୌର ଭୋଟ ପୂର୍ବରୁ ବିଜୁ ଯୁବ ବାହିନୀର ସଦସ୍ୟଙ୍କୁ ବିଜେଡିର ସଦସ୍ୟ କରିବା ପାଇଁ ଦଳ ଜୋର୍ ଦେଉଥିବା ଚର୍ଚ୍ଚା ହେଉଛି। ବିଜେଡି ଏଥର ୭୦ ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ବିଜେଡିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ଥିଲା। ନିକଟରେ ବିଜେପି ଓଡ଼ିଶାରୁ ୫୦ ଲକ୍ଷ ସଭ୍ୟ ସଂଗ୍ରହ କରିଥିବା ଦାବି କରୁଛି। ସଭ୍ୟ ସଂଗ୍ରହରେ ବିଜେପିକୁ ଟପିବାକୁ ବିଜେଡି ଚାହୁଁଛି। ୪୭ ଲକ୍ଷ ସଭ୍ୟଙ୍କୁ ନେଇ ବିଜେଡି ୨୦୧୯ ନିର୍ବାଚନରେ ୪୪.୭ ପ୍ରତିଶତ ଭୋଟ ପାଇଥିଲା। ସେହିପରି ବିଜପି ୩୬ ଲକ୍ଷ ସଭ୍ୟଙ୍କୁ ନେଇ ୩୨.୫ ପ୍ରତିଶତ ଭୋଟ ପାଇଥିଲା। କଂଗ୍ରେସ ୧୬.୧୨ ପ୍ରତିଶତ ଭୋଟ ପାଇଥିଲା। ହେଲେ ବିଜେଡି ଅଧିକ ସଭ୍ୟ ସଂଗ୍ରହ କରି ପୌର ଭୋଟରେ ପୁଣି ଜିତାପଟ ହାସଲ କରିବାକୁ ଗୋଟି ଚାଳନା କରୁଛି।ଅଧିକାଂଶ ପୌର ପରିଷଦ ଏବଂ ମହାନଗର ନିଗମର କାର୍ଯ୍ୟକାଳ ଶେଷ ହୋଇଛି। ନିର୍ବାଚିତ ପ୍ରତିନିଧିମାନେ ଆଉ କ୍ଷମତାରେ ନାହାନ୍ତି। ପ୍ରଶାସକମାନେ ପୌର ପରିଷଦ ଦାୟିତ୍ୱରେ ଅଛନ୍ତି। ଆଗକୁ ପୌର ଭୋଟ ଆସୁଥିବାରୁ ଏବେଠୁ ବିଜେଡି ଭୋଟରଙ୍କୁ ମନାଇବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।