ନୂଆଦିଲ୍ଲୀ : ପ୍ରତିରକ୍ଷା ବଜେଟକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ସୀମାରେ ଚୀନ ସହ ସବୁୁବେଳେ ବିବାଦ ଲାଗିରହିଥିବା ବେଳେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଆଜି ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍ ୭.୪% ବୃଦ୍ଧି ପାଇଛି। ପେନସନକୁ ଛାଡ଼ି କେବଳ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବଜେଟ୍ରେ ୩.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଚଳିତ ବର୍ଷ ପୂରା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪,୭୮,୧୯୫.୬୨ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି। ସେନା ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଆଧୁନିକରଣ କରିବାକୁ ଗତ ବର୍ଷ ୧,୧୩,୭୩୪ ଲକ୍ଷ କୋଟିର ବ୍ୟବସ୍ଥା ହୋଇଥିଲା। ହେଲେ ୨୦୨୧-୨୨ରେ ଏହାକୁ ୧,୩୫,୦୬୦ କୋଟି କରାଯାଇଛି। ଏହାର ଅର୍ଥ ୧୮% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି।
ଗତବର୍ଷ ସ୍ଥଳବାହିନୀକୁ ଅତ୍ୟାଧୁନିକ କରିବାକୁ ୨୦,୭୭୬ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପୁଞ୍ଜିଗତ ବ୍ୟୟ ୧.୩୫ ଲକ୍ଷ କୋଟି ଟଙ୍କାକୁ ମିଶାଇ ଚଳିତ ଆର୍ଥିକ ବର୍ଷ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୪.୭୮ ଲକ୍ଷ କୋଟି ମିଳିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିଗତ ବ୍ୟୟରେ ୧୯% ବୃଦ୍ଧି ଘଟିଛି। ୧୫ ବର୍ଷ ଭିତରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କେବେ ହେଲେ ଏତେ ପରିମାଣର ପୁଞ୍ଜିଗତ ବ୍ୟୟ କରାଯାଇ ନଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତର ପ୍ରତିରକ୍ଷା ବଜେଟ୍ ବୃଦ୍ଧି ପାଇଥିଲେ ହେଁ ଚାଇନାର ବଜେଟ ତୁଳନାରେ ଏହା ସ୍ୱଳ୍ପ ଅଟେ । ୨୦୧୪-୨୦୧୯ ମଧ୍ୟରେ ଚାଇନା ନିଜର ପ୍ରତିରକ୍ଷା କ୍ଷେତ୍ର ପାଇଁ ୨୬୧.୧ ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ ଭାରତ ୭୧.୧ ବିଲିୟନ ଡଲାର ଖର୍ଚ୍ଚ କରିଛି। ସେହିପରି ପାକିସ୍ତାନ ଏହି ସମୟ ସୀମା ମଧ୍ୟରେ ନିଜ ପ୍ରତିରକ୍ଷା ବିଭାଗକୁ ସୁଦୃଢ଼ କରିବାକୁ ୧୦.୩ ବିଲିୟନ ଡଲାର ଖର୍ଚ୍ଚ କରିଛି।
Edit by Sushree Biswajeeta