ଭୁବନେଶ୍ୱର: ଜୁଲାଇ ୧ରେ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ କରାଯାଇଛି। ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଜୁଲାଇ ୧ ତାରିଖ ସୁଦ୍ଧା ଦାବି ପୂରଣ ନହୁଏ ତାହାଲେ ଜୁଲାଇ ୩୧ ତାରିଖରୁ ବସ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଜୁଲାଇ ୧ରୁ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ୧୦ ଦଫା ଦାବି ନେଇ ଆଲୋଚନା ହୋଇଥିବା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଆଗକୁ ରଥଯାତ୍ରା ଥିବାରୁ ଘରୋଇ ବସ୍ ବନ୍ଦ ନ କରିବାକୁ ପରିବହନ ମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ଆସିଲେ ନିଷ୍ପତ୍ତି ହେବ ବୋଲି ପରିବହନ ମନ୍ତ୍ରୀ କହିଥିବା କଥା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି। ତେବେ ବସ୍ ଧର୍ମଘଟ ହେବ ନା ନାହିଁ ଆଜିର କାର୍ୟ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ। କାର୍ୟ୍ୟକାରୀ କମିଟି ବୈଠକ ପରେ ବସ୍ ମାଲିକ ସଂଘ ଠୋସ୍ ନିଷ୍ପତ୍ତି ନେବ। ବସ୍ ପର୍ମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି କାର୍ୟ୍ୟକାରୀ, ବସ୍ ଫିଟନେସ୍ ପର୍ମିଟ୍ ବଳବତ୍ତର ପର୍ୟ୍ୟନ୍ତ ସ୍ଥାୟୀ ପର୍ମିଟ୍ ଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ୟ୍ୟନ୍ତ ଏନଏଚ୍ ୫୫ ତୁରନ୍ତ ନିର୍ମାଣ କରିବା, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିଷ୍ପତ୍ତି ପରିବର୍ତ୍ତନ କରିବା, କୋଭିଡ୍ ବେଳେ ଋଣ ଯୋଗାଇଦେବାକୁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ୟ୍ୟକାରୀ କରିବା ଭଳି ବିଭିନ୍ନ ଦାବି ଘରୋଇ ବସ ମାଲିକ ସଂଘ ରଖିଛି।