ଭୁବନେଶ୍ବର : ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ଏମିତି କେତେ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ, କେବେ ମୌସୁମୀ ଫେରିବ, ସେ ନେଇ ପାଣିପାଗ ବିଭାଗ ବି ଠିକ ଭାବେ ଆକଳନ କରିପାରୁନାହିଁ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଆହୁରି ୫ ଦିନ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କିନ୍ତୁ, ଏହା ନୁହେଁ ଯେ ୫ ଦିନ ପରେ ବର୍ଷା ଛାଡ଼ିଯିବ, ୫ ଦିନ ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।
ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେସବୁ ଜିଲ୍ଲା ହେଉଛନ୍ତି ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି । ତେବେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।