ବିଜେପୁରରେ ପତିଆରା ରାଜନୀତି

0

(ରିପୋଟର୍ସ ଟୁଡେ): ବିଜେପୁର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଅଛି। ନିର୍ବାଚନ ଫଳରେ ପୂର୍ବ ସରଗରମ ଏତେଟା ଦେଖିବାକୁ ମିଳୁ ନ ଥିଲେ ସୁଦ୍ଧା ଆଉ ଦିନେ ଦୁଇଦିନ ମଧ୍ୟରେ ରାଜନୈତିକ ପାଣିପାଗ ଜୋର୍‌ ଧରିବ ବୋଲି ଦଳୀୟ ପ୍ରାର୍ଥୀମାନେ ମତ ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ ଏଥର ଶାସକ ଦଳରୁ ରିତା ସାହୁ, ଭାଜପାରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ ପୁରୁଣା ମୁହଁରେ ବିଜେପୁର ଏକ ନୂଆ ଲଢ଼େଇ ଦେଖିବାକୁ ଯାଉଛି। ବିଜେପୁର ମାଟିରେ ପ୍ରସଙ୍ଗର ଅଭାବ ନାହିଁ। ହେଲେ ତାକୁ ନେଇ ଭୋଟ୍‌ ରାଜନୀତି କରିବାରେ ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଗତ ଦୁଇ ନିର୍ବାଚନ ପରି ଶାସକ ବିଜେଡି ନିଜ ପତିଆରା ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଛି। ସେହିପରି ଭାଜପା ସଂସଦୀୟ ଜନମତକୁ ବିଧାନସଭାରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ କରୁଛି। ଅପରପକ୍ଷେ ଏକଦା ଦୁଇ ଦଶନ୍ଧି ଧରି ବିଜେପୁରକୁ କବ୍‌ଜା କରିଥିବା କଂଗ୍ରେସ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ମନେ ହେଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ଛାଡ଼ିଲେ କ’ଣ ପାଇଁ। ଏହି ପ୍ରସଙ୍ଗ ହିଁ ଦଳର ମୁଖ୍ୟ ଆୟୁଧ ବୋଲି ଭାଜପା କହିଆସୁଛି | ପ୍ରାର୍ଥୀ ସନତ ଏବଂ ତାଙ୍କ ସମର୍ଥକ ତୃଣମୂଳ ସ୍ତରରେ ପରିଶ୍ରମ କରୁଛନ୍ତି। ମାତ୍ର ତାହା ଶାସକ ବିଜେଡି ତୁଳନାରେ ଆଖିଦୃଶିଆ ହେଉ ନ ଥିବା ଜଣାପଡ଼ିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ଦଳୀୟ ଶିବିର ପୂର୍ବାପେକ୍ଷା ଚଳଚଞ୍ଚଳ ହୋଇଛି। ଆଗକୁ ପ୍ରତାପ ଷଡ଼ଙ୍ଗୀ, ସ୍ମୃତି ଇରାନୀଙ୍କ ଭଳି ନେତ୍ରୀଙ୍କୁ ଆଣି ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ରାଜନୈତିକ ଅନୁପସ୍ଥିତି ଓ ବିଜେଡି ବିରୋଧୀ ଜନମତକୁ ଭାଜପା କେତେମାତ୍ରାରେ ଟାଣିପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ। ମୁଖ୍ୟମନ୍ତ୍ରୀ ବିଜୟୀ ହେବା ପରେ ଆସନଟି ଛାଡ଼ିଥିବାରୁ ଯେକୌଣସି ମତେ ବିଜୟୀ ହେବା ବିଜେଡ଼ିର ଏକମାତ୍ର ଲକ୍ଷ୍ୟ ରହିଛି। ବରପାଲି ଅଞ୍ଚଳରେ ବିଜେଡି ଓ ଭାଜପା ଉଭୟଙ୍କ ରାଜନୈତିକ ଉପସ୍ଥିତି ବେଶ୍‌ ବାରି ହୋଇ ପଡୁଛି। ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳ ବୋଲାଉଥିବା ଗାଇସିଲେଟ୍‌ ବ୍ଲକର ଭୋଟ ଗତଥର ଅଧିକାଂଶ ବିଜେଡିକୁ ଯାଇଥିଲା। ହେଲେ ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ଭାଜପା ନିଜର ଟାଣୁଆ ସଙ୍ଗଠକ ପ୍ରଦୀପ ପୁରୋହିତଙ୍କୁ ଗାଇସିଲେଟ ବ୍ଲକ ଦାୟିତ୍ୱ ଦେଇଛି। ଅପରପକ୍ଷେ ୨୦୧୮ ଉପନିର୍ବାଚନର ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶନିବାର ଭାଜପାରୁ ଇସ୍ତଫା ଦେବା ପରେ ଏବେ ରାଜନୈତିକ ପାଣିପାଗ ଟିକେ ଭିନ୍ନ ହେବାର ଲାଗୁଛି। ସ୍ବାଧୀନ ଭାବେ ଲଢ଼ି ୨୦୧୪ ନିର୍ବାଚନରେ ପ୍ରାୟ ୧୮ହଜାର ଭୋଟ୍‌ ପାଇଥିବା ଅଶୋକଙ୍କ ସମର୍ଥକ କାହାକୁ ଭୋଟ୍‌ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ଏହାର କେତେକାଂଶରେ ଫାଇଦା ଶାସକ ଦଳକୁ ହେବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇ ସନତ ପ୍ରାୟ ୫୩ ହଜାରରୁ ଅଧିକ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ସେ ପାଇଥିବା ଭୋଟ୍‌ ଦୁଇଗୁଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସନତ କହିଛନ୍ତି। ଏସବୁ ପରେ ବି ବିଜେପୁରବାସୀ କାହାକୁ ମୁକୁଟ ପିନ୍ଧାଇବେ ତାହା ଇଭିଏମ ଗଣତି ପରେ ହିଁ ଜଣାପଡ଼ିବ।