ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ସଂଯୋଗ ଚିହ୍ନଟ ପାଇଁ ନିର୍ଦ୍ଦେଶ

0

(ସୁନ୍ଦର କୁମାର ପାଣି)କୋରାପୁଟ: କୋରାପୁଟ ସହର ଓ ଗ୍ରାମାଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ସଂଯୋଗ ଚିହ୍ନଟ ପାଇଁ ଆଜି ଜିଲାପାଳ ମଧୁସୂଦନ ମିଶ୍ର ବିଭାଗୀୟ ଅଧିକାରୀଙ୍କୁନିର୍ଦେଶ ଦେଇଛନ୍ତି। ଏହାର ସ୍ଥାନାନ୍ତର ଓ ବିପଦମକ୍ତୁ କରିବା ନିମନ୍ତେ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିବା ପାଇଁନିର୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଡିଆର୍ଡିଏ ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବଂ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଆଦି ନିକଟରେ ଯାଇଥିବା ୧୧କେଭି, ୩୩କେଭି ଓ ଏଲଡ଼ି ଲାଇନର କେଉଁ କେଉଁ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ତାହାକୁ ତୁରନ୍ତ ମରାମତି ଓ ଆବଶ୍ୟକୀୟ ସ୍ଥଳରେ ତାକୁ ସ୍ଥାନାନ୍ତର କରିବା ଏବଂ ଏହାପାଇଁ ଆବଶ୍ୟକୀୟ ଖର୍ଚ୍ଚ ଅଟକଳ ତୁରନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ଜିଲାରେ ୧୫ଶହରୁ ୨ହଜାର ସ୍ଥାନରେ ବିପଦସଂକୁଳ ରହିଥିବା ବେଳେ ଏଥିପାଇଁ ଖର୍ଚ୍ଚ ପ୍ରାୟ୧୮କୋଟି ହେବା ଆଶଙ୍କା କରାଯାଇଛି। ତେବେ ତୁରନ୍ତ ସର୍ଭେ କାର୍ୟ୍ୟ ଶେଷ କରି ଆବଶ୍ୟକୀୟ ଅର୍ଥର ଅଟକଳ ପ୍ରଦାନ କରିବାକୁ ଜିଲାପାଳ ତାଗିଦ କରିଛନ୍ତି। ଏଥିପାଇଁ ତଦନ୍ତ ପ୍ରକିୟା ଆରମ୍ଭ କରିବାକୁ ମଧ୍ୟ ଜିଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଛନ୍ତି। ଯାହାକି ଏହିପ୍ଲାନ ପ୍ରସ୍ତୁତ ପରେ ରାଜ୍ୟ ବିଦ୍ୟୁତ ବିଭାଗକୁ ପ୍ରଦାନ କରାଯିବ ବୋଲି ଜିଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି ବୈଠକରେ ସାଉଥ୍-କୋର ଅଧିକ୍ଷଣ ଯନ୍ତ୍ରୀ ମନ୍ମଥ ମିଶ୍ର, ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାୟକ, ଏସଡ଼ିପିଓବଳଭଦ୍ର ଦୀପ, ସାଉଥ୍-କୋର ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା,ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, କୋଟପାଡ ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ସାମନ୍ତରାୟ, କୋରାପଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକଙ୍କ ସହିତ ଜିଲାର ସମସ୍ତ ଗୋଷ୍ଠୀ ଉନ୍ନୟନଅଧିକାରୀ ଓ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ।