ବିଶ୍ୱ ବିକାଶରେ ବାଧକ ଭୋକ

ଦୈନିକ ୨୫ ହଜାର ଲୋକ ମରୁଥିବା ନେଇ ସଂଯୁକ୍ତ ରାଷ୍ଟ୍ର ସଂଘର ରିପୋର୍ଟ

0

ଭୁବନେଶ୍ୱର: ଦେଶରେ ବିଜ୍ଞାନ ଆଗକୁ ଯାଉଛି, ପ୍ରଯ୍ୟୁକ୍ତି ବିଦ୍ୟା ମାଧ୍ୟମରେ ଭୂପୃଷ୍ଟରୁ ଯାଇ ମଣିଷ ମହାକାଶର ଛାତି ଚିରି ରିସର୍ଚ କରୁଛି। ହେଲେ ଭୋକ ଉପରେ ବିଜୟ କରିବାରେ ବ୍ୟବସ୍ଥା ଅସଫଳ ହୋଇଛି। ଭୋକର ବିକଳ ଚିତ୍ର ଉପରୁ ପରଦା ହଟାଇଛି ସଂଯୁକ୍ତ ରାଷ୍ଟ୍ର ସଂଘ। ସଂଯୁକ୍ତ ରାଷ୍ଟ୍ର ସଂଘର ରିପୋର୍ଟ ମୁତାବକ ଖାଦ୍ୟ ଅଭାବରୁ ସାରା ବିଶ୍ୱରେ ଦୈନିକ ୨୫ ହଜାର ଲୋକ ପ୍ରାଣ ହରାଉଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ମୃତ୍ୟୁବରଣ କରୁଛନ୍ତି ଶିଶୁମାନେ। ସେହି ସଂଯୁକ୍ତ ରାଷ୍ଟ୍ରସଂଘର ରିପୋର୍ଟ ମୁତାବକ ଭୋକ ବା ଖାଦ୍ୟ ଅଭାବରୁ ଦୈନିକ ବିଶ୍ୱରେ ମୃତ୍ୟୁବରଣ କରୁଥିବା ୨୫ ହଜାର ଲୋକଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ୧୦ ହଜାର ରହିଛି। କେବଳ ସେତିକି ନୁହେଁ କୁପୋଷଣକୁ ନେଇ ବି ସଂଯୁକ୍ତ ରାଷ୍ଟ୍ର ସଂଘ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ମୁତାବକ ସାରା ବିଶ୍ୱରେ ୮୫୪ ମିଲିୟନ ଲୋକ କୁପୋଷଣରେ ଶିକାର ହୋଇଛନ୍ତି। କୁହାଯାଇଛି କି ବିଶ୍ୱରେ ଯେଭଳି ଅହେତୁକ ଭାବେ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଉଛି ଏହି କାରଣରୁ ଖୁବଶୀଘ୍ର କୁପୋଷଣରେ ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁବ।

ସହରରେ ରହୁଥିବା ଗରିବ ଲୋକ, ବିସ୍ଥାପିତ ହୋଇଥିବା ଲୋକ, ଗ୍ରାମରେ ରହୁଥିବା ଭୂମିହୀନ ସମେତ ଅଧିକାଂଶ କ୍ଷୁଦ୍ର ଚାଷୀ ଓ ସେମାନଙ୍କ ପରିବାର ସର୍ବାଧିକ କୁପୋଷଣରେ ଶିକାର ହେଉଛନ୍ତି। ସାରା ବିଶ୍ୱର ଘାରିଥିବା ଏହି ଖାଦ୍ୟ ସଂକଟର କାରଣ ବତାଇବାକୁ ଯାଇ ସଂଯୁକ୍ତ ରାଷ୍ଟ୍ର ସଂଘ କହିଛି କି, ଗତ ୨ ଦଶକ ମଧ୍ୟରେ ବିଶ୍ୱରେ ବଢୁଥିବା ଜନସଂଖ୍ୟା, ଖାଦ୍ୟର ବିବିଧିକରଣ ବୃଦ୍ଧି କାରଣରୁ ଏଭଳି ଦେଖିବାକୁ ମିଳିଛି। ଆହୁରି କୁହାଯାଇଛି କି, ୨୦୦୦ ମସିହା ପୂର୍ବରୁ ଶଶ୍ୟ ଉତ୍ପାଦନ ଭଲ ରେକର୍ଡ କରିଥିବାରୁ ସେତେବେଳେ ଖାଦ୍ୟ ଶଶ୍ୟର ମୂଲ୍ୟ ନିୟନ୍ତ୍ରିତ ରହୁଥିଲା। ହେଲେ କୃଷିକ୍ଷେତ୍ର ଓ କୃଷିକୁ ବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା କମିବା ଫଳରେ ଖାଦ୍ୟର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ଓ ଏହା କିଣି ଭୋଜନ କରିବାରେ ଲୋକଙ୍କ କ୍ଷମତା କମୁଛି। ଏହି କାରଣରୁ ଏଭଳି ଦୁଖଦ ଘଟଣା ଦେଖିବାକୁ ମିଳିଛି ବୋଲି ସଂଯୁକ୍ତ ରାଷ୍ଟ୍ରସଂଘ ଦାବି କରିଛି।