ଭକ୍ତଙ୍କ ଅପେକ୍ଷାରେ ଭଗବାନ

0

ଭୁବନେଶ୍ୱର: ଦୀର୍ଘଦିନର ଲକ୍ ଡାଉନ,ସଟ୍ ଡାଉନ୍ ପରେ ଜୀବନଜୀବିକା ସ୍ୱଭାବିକ ହେବାରେ ଲାଗିଛି । ଧିରେ ଧିରେ ଦୋକାନ ବଜାର ଖୋଲିବା ସହ ଲୋକେ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । ପୁନଃସ୍ଥିତିକୁ ଫେରିବା ପାଇଁ ଧନୀ,ଗରିବ ସମସ୍ତେ ତତ୍ପର ହୋଇଛନ୍ତି । କରୋନା କଟକଣା ଭିତରେ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ନେଇ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତ ।
ତେବେ ଅନ୍ୟପଟେ ଧର୍ମାନୁଷ୍ଠାନମାନଙ୍କରେ ପୂର୍ବଭଳି କରୋନା କଟକଣା ଲାଗିରହିଛି । ଯାହାର ପ୍ରଭାବ ସିଧାସଳଖ ଭାବରେ ଧର୍ମାନୁଷ୍ଠାନମାନଙ୍କ ଉପରେ ନିର୍ଭରକରି ଚଳୁଥିବା ପରିବାରଙ୍କ ଉପରେ ପଡୁଛି । ମନ୍ଦିର,ମସଜିଦ୍,ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନ ହିଁ ତାଙ୍କ ପାଇଁ ପରିବାର ପ୍ରତିପୋଷଣର ଏକମାତ୍ର ବାଟ ଥିଲା । କିଏ ପୁଝାରୀ ଭାବରେ ତ ଆଉ କିଏ ମୌଲାନା ଭାବରେ ପୁଣି ଅନ୍ୟ କେହି ପାଷ୍ଟର ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ । ହେଲେ କରୋନା ଆଜିର ଦିନରେ ସେମାନଙ୍କ ଦୁଃଖ ବଢାଇ ଦେଇଛି । ଧର୍ମାନୁଷ୍ଠାନ ସହିତ ଜଡିତ ଥିବା ସିକ୍ୟୁରିଟି, ସୁଇପରଠାରୁ ଆରମ୍ଭ କରି ପୂଜା ଦୋକାନୀ ମଧ୍ୟ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଭକ୍ତମାନଙ୍କ ଦାନରେ ପେଟପୋଷୁଥିବା ଭିକାରୀମାନଙ୍କ ଅବସ୍ଥା ଆହୁରୀ ଦୟନୀୟ ହୋଇପଡିଛି ।
କରୋନା ମହାମରୀ ଯୋଗୁଁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ଯିବା ନେଇ ବାରଣ ରହିଛି । ଶହ ଶହ ସଂଖ୍ୟାରେ ଧର୍ମାନୁଷ୍ଠାନମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ ହେଲେ ଏବେ ସବୁ ଖାଁଖାଁ ହୋଇପଡିଛି । ଅଳ୍ପ ସଂଖ୍ୟକ ପୁଝାରୀଙ୍କୁ ନେଇ ମନ୍ଦିର ନୀତିକାନ୍ତି ଚାଲିଥିବା ବେଳେ ସତେ ଯେମିତି ଭକ୍ତ ବିନା ଭଗବାନ ଅଧୁରା ଲାଗୁଛି । ଧର୍ମାନୁଷ୍ଠାନ ଉପରେ ନିର୍ଭର କରି ଚଳୁଥିବା ଉଠାଦୋକାନୀ, ଛୋଟ ବ୍ୟବସାୟୀଙ୍କ ବି ସମାନ ଅବସ୍ଥା ଲାଗି ରହିଛି ।
ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ,ମନ୍ଦିର ଖୋଲିବ ବେକେ? ଆଉ କେତେଦିନ ଅପେକ୍ଷା କରିବେ ଶ୍ରଦ୍ଧାଳୁ? ଧର୍ମାନୁଷ୍ଠାନରେ କଟକଣା ହଟିବ ନା ନାହିଁ? ଇତିମଧ୍ୟରେ ୫ ମାସ ବିତିଗଲାଣି,ଭକ୍ତ ନିଜର ଆରଧ୍ୟ ଦେବତାକୁ ଦେଖିବାକୁ ବିକଳରେ ଚାହିଁ ବସିଛନ୍ତି । ଦୋକାନ ବଜାର,ସପିଂ ମଲ କରୋନା କଟକଣା ଭିତରେ ଖୋଲୁଥିବା ବେଳେ ଧର୍ମାନୁଷ୍ଠାନକୁ ଏଥିବରୁ କାହିଁକି ବାଦ୍ ଦିଆଯାଇଛି ବୋଲି ଶ୍ରଦ୍ଧାଳୁ ପ୍ରଶ୍ନ କରୁଛନ୍ତି ।