ଭିଜିଲାନ୍ସ ଜାଲରେ ଜଙ୍ଗଲ ଫରେଷ୍ଟଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ
Jungle Forest Guard Laxminarayan Swain in vigilance net
ପାଟଣାଗଡ଼; ଜଗନ୍ନାଥ ଧରୁଆ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ଅଧିନସ୍ତ ପାଟଣାଗଡ ସେକସନ ଅନ୍ତର୍ଗତ ପାଟଣାଗଡ଼ ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ଵାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କ ଠାରୁ ଗୁରୁବାର ଦିନ ସନ୍ଧ୍ୟା ୫ଟା ସମୟରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।
ସୂଚନା ଅନୁସାରେ ବନ ବିଭାଗ ପକ୍ଷରୁ ପୋଡଛାପର ଗାଁରେ ମହାତ୍ମାଗାନ୍ଧୀ କର୍ମ ନିଶ୍ଚିତ ନିଯୁକ୍ତି ଯୋଜନାରେ କାମ ଚାଲିଥିବା ବେଳେ ଉକ୍ତ କାମକୁ ପୋଡଛାପର ବନ ସଂରକ୍ଷଣ ସମିତିର ସଭାପତି ଦେଖାଶୁଣା କରୁଥିଲେ । ଏହି କାମରେ ଜଣେ ଶ୍ରମିକଙ୍କ ନାମରେ ମାଷ୍ଟରରୋଲ ତିଆରି କରା ଯାଇଥିଲା । ହେଲେ ପାରିଶ୍ରମିକ ଟଙ୍କା ଅନ୍ୟ ଜଣଙ୍କର ନାମରେ ଥିବା ପାସବୁକରେ ୧୬ ହଜାର ଟଙ୍କା ଜମା କରାଯାଇଥିଲା । ଉକ୍ତ ଜମା ଟଙ୍କାକୁ ବନସୁରକ୍ଷା ସମିତିର ସଭାପତି ଫରେଷ୍ଟ ଗାର୍ଡ ଲଷ୍ମୀନାରାୟଣ ସ୍ୱାଇଁଙ୍କ ପାଖକୁ କିଛିଦିନ ପୂର୍ବରୁ ଭାଗବଣ୍ଟା ପାଇଁ ଆସିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ବନ ସଂରକ୍ଷଣ ସଭାପତି ଜଣକ ସମ୍ବଲପୁର ଭିଜିଲାନ୍ସଙ୍କ ଦ୍ଵାରସ୍ଥ ହୋଇଥିଲେ ।
ଗତକାଲି ସନ୍ଧ୍ୟା ୫ଟା ସମୟରେ ପାଟଣାଗଡ ରେଞ୍ଜ ଅଫିସ ଭିତରେ ଥିବା ତାଙ୍କ ସରକାରୀ ବାସଭବନରେ ସଭାପତିଙ୍କ ଠାରୁ ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ଉକ୍ତ ଟଙ୍କା ଜବତ କରିଥିଲେ । ଏନେଇ ଭିଜିଲାନ୍ସ କେସ୍ ନଂ ୩୪/୨୨ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ସୂଚନା ମିଳିବା ପର୍ୟ୍ୟନ୍ତ ଫରେଷ୍ଟଗାର୍ଡ ଲକ୍ଷ୍ମୀକାନ୍ତ ସ୍ୱାଇଁଙ୍କ ପୈତୃକ ବାସଭବନ ସହ ଅନ୍ୟ ଦୁଇଟି ଜାଗାରେ ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।