ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଜଗତସିଂହପୁର ଜିଲ୍ଲା ପାରାଦୀପରେ ଦିନ ଦିପହରରେ ଭୁଜାଲି ଦେଖାଇ ଲୁଟ୍ ହୋଇଥିବା ଘଟଣା ଏବେ ପାରାଦୀପରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନାନୁଯାୟୀ, ପାରାଦୀପ ପିପିଏଲ୍ ଛକରେ ଥିବା ଇଷ୍ଟକୋଷ୍ଟ୍ ପେଟ୍ରୋଲ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ପୂର୍ବାହ୍ନ ସମୟରେ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ଧରି ଯାଉଥିଲେ। ଲଗାତାର ୫ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ସେ ଆଜି କଲେକସନ୍ ଟଙ୍କା ଧରି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ନିଜର ବାଇକରେ ଟଙ୍କା ଓ ଚେକ୍ ପାରାଦୀପରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।
ଅକ୍ଷୟ ପାଣି କିଛି ବାଟ ଯିବା ପରେ କୁମ୍ଭୀର ପାର୍କ ଛକ ପାଖରେ ପହଞ୍ଚିଥିଲେ। ସେଠାରେ ହଠାତ୍ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଆସି ତାଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟି ନେଇଥିଲେ। ସେ ଚିତ୍କାର କରିବା ବେଳକୁ ଦୁଇ ଲୁଟେରା ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏହାପରେ ଅକ୍ଷୟ ପାଣି ଏନେଇ ପାରାଦୀପ ଥାନାରେ ଏତଲା ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପାରାଦୀପ ଥାନା ପୁଲିସ୍ ତଦନ୍ତ ଚଳାଇଛି।