ମହାରାଷ୍ଟ୍ର : ବିଭାଗ ବଣ୍ଟନ ନେଇ ମେଣ୍ଟରେ ଫାଟ !

0

ମୁମ୍ବାଇ: ମହାରାଷ୍ଟ୍ରରେ ଗତ ୩ ଦିନ ତଳେ ମନ୍ତ୍ରିମଣ୍ଟଳ ସମ୍ପ୍ରସାରଣ ହେବାପରଠାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ ଉପୁଜିବାରେ ଲାଗିଛି। ୩ ଦଳର ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି।

କଂଗ୍ରେସ ବିଧାୟକ ସଂଗ୍ରାମ ଥୋପ୍‌ତେଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାରୁ ଲୋକେ ପୁନେର କଂଗ୍ରେସ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଶିବସେନା ଏବଂ ଏନ୍‌ସିପିରେ ମଧ୍ୟରେ ଫାଟ ସୃଷ୍ଟି ହେଲାପରି ଲାଗୁଛି। ଶିବସେନା ବିଧାୟକ ଭାସ୍କର ଯାଦବ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବାରୁ ଅସନ୍ତୋଷ ପ୍ରକଟ କରିଛନ୍ତି। ଯାଦବ ଦାବି କରିଛନ୍ତି ଯେ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେନାର ମୁଖପତ୍ର ସାମ୍‌ନାରେ କୁହାଯାଇଛି ଯେ ଦଳ ପକ୍ଷରୁ କାହାକୁ ମନ୍ତ୍ରୀପଦ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇନାହିଁ।

ଇତି ମଧ୍ୟରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ। ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ୩ ଦିନ ବିତିଗଲାଣି, କିନ୍ତୁ ଏଯାଏଁ ବିଭାଗ ବଣ୍ଟନ ହୋଇପାରୁନି। ଗତକାଲି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସର ବରି‌ଷ୍ଠ ନେତାମାନେ ବିଭାଗ ବଣ୍ଟନ ନେଇ ଆଲୋଚନା ବୈଠକ କରିଥିଲେ।

କଂଗ୍ରେସ କୃଷି ବିଭାଗ ମାଗିଥିଲେ ମଧ୍ୟ ଶିବସେନା ଏଥିରେ ରାଜି ହୋଇନାହିଁ। ଗୃହ ବିଭାଗକୁ ନେଇ କ୍ୟାବିନେଟ୍‌ରେ କନ୍ଦଳ ଆରମ୍ଭ ହୋଇଛି। ସୂଚନାନୁଯାୟୀ ଅଜିତ ପାୱାରଙ୍କୁ ଗୃହ ବିଭାଗ ମିଳିପାରେ, ଉଦ୍ଧବ ଠାକ୍‌ରେଙ୍କ ପୁଅ ପରିବେଶ ଏବଂ ପର୍ଯ୍ୟଟନ ବିଭାଗ ମିଳିବା ନେଇ ଆଶାବାଦୀ ଅଛନ୍ତି।