(ରିପୋଟର୍ସ ଟୁଡେ, ରାଜନଗର): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ମଇଁଷି ଚରାଳିଙ୍କୁ କୁମ୍ବୀର ପାଣି ଭିତକୁ ଟାଣି ନେଇଥିବା ଜଣାପଡିଛି । ନିଖୋଜ ଯୁବକ ଜଣକ ସାତଭାୟା ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି । ସୁଚନା ଅନୁଯାୟୀ, ଯୁବକ ଜଣକ ପ୍ରତିଦିନ ମଇଁଷି ଚରାଇବାକୁ ନଦୀ ପାର ହୋଇ ଆରପାରିକୁ ଯାଇଥାନ୍ତି । ସବୁଦିନ ପରି ଆଜି ସକାଳେ ମଧ୍ୟ ମଇଁଷି ପିଠିରେ ବସି ଯୁବକ ନଦୀ ପାର ହେଉଥିବା ବେଳେ ତାଙ୍କୁ ଏକ କୁମ୍ଭୀର ପାଣି ଭିତରକୁ ଟାଣି ନେଇଥିଲା । ନଦୀ କୂଳରେ ଥିବା ଲୋକେ ଚିତ୍କାର କରି କୁମ୍ଭୀରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିପାରିନଥିଲେ । ଘଟଣା ବିଷୟରେ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପତ୍ତା ଏଯାଏ ମିଳିପାରିନାହିଁ ।