ସମାନ କାମକୁ ସମାନ ଦରମା କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଲେ ମୋହନ ମାଝି

0

ଭୁବନେଶ୍ୱର : ୧୫ ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଏଣିକି ଠିକା କର୍ମଚାରୀ ନିଯୁକ୍ତିର ଯୁଗ ଶେଷ ହେଲା ଏବଂ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ । ସେପଟେ ୨୦୧୩ ମସିହାରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ଗ୍ୟାଜେଟ ନୋଟିଫିକେସନ ବାହାରି ଥିଲା ।ଏଥିରେ ସରକାର କାଟେଗୋରୀ ୧ ଏବଂ କାଟେଗୋରୀ ୨ କରିଛନ୍ତି । ଓଡିଶା ଷ୍ଟାଫ୍ ସିଲେକସନ କମିଶନ ଏବଂ ଓଡିଶା ସବୋଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ରେଗୁଲାର କରାଗଲା । କିନ୍ତୁ କାଟେଗୋରୀ ୨ ଅନୁସାରେ ଆଉଟସୋର୍ସିଂ ଏବଂ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସଂଖ୍ୟା ବିଭିନ୍ନ ବିଭାଗକୁ ମିଶାଇଲେ ୭୦ ହାଜରରୁ କମ୍ ହେବ ନାହିଁ । ସେମାନେ ସରକାରଙ୍କ ବିରୋଧରେ ଯାଇଥିଲେ କି ନା କୌଣସି ପାପ କରିଥିଲେ ଯେ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ସେମାନେ ଆଜି ମଧ୍ୟ ୯ ହଜାର ୬୮୫ ଟଙ୍କା ମାସିକ ଦରମା ପାଉଛନ୍ତି । ଯେଉଁମାନେ ୨୦୦୧, ୨୦୦୫ ଓ ୨୦୧୦ ମସିହା ବେଳକୁ ସରକାରଙ୍କ ପାଇଁ କାମ କରୁଥିଲେ । ସେମାନେ ସେତେବେଳେ ଯାହା ଦରମା ପାଉଥିଲେ, ଆଜି ଯିଏ ନୂଆ ନିଯୁକ୍ତ ହେଉଛନ୍ତି ସେତିକି ଟଙ୍କା ପାଇବ । ତେଣୁ ସମାନ କାମକୁ ସମାନ ଦରମା ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି । ମନ୍ତ୍ରୀ କହୁଛନ୍ତି ଆମେ ସବୁ କରିଦେଇଛୁ । ଯଦି ଠିକା ପ୍ରଥା ଉଚ୍ଛେଦ ହେଲା, ତେବେ ଆଜି ଲୋୟର ପିଏମଜିରେ ବିଭିନ୍ନ ବିଭାଗର ଠିକା ଓ ଆଉଟସୋର୍ସିଂ କର୍ମଚାରୀ କାହିଁକି ଆନ୍ଦୋଳନ କରୁଛନ୍ତି ବୋଲି ମୋହନ ମାଝି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଥିଲେ ପାଳନ କାରିନାହାନ୍ତି । ଆଉ ମିଛ ପ୍ରତିଶୃତି ଦିଅନ୍ତୁ ନାହିଁ ସରକାର ।