୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ପାଳିତ

0

( ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପ୍ରତ୍ୟୁଷ ଘ.୪.୩୦ମି. ସମୟରେ ଖୋଦ୍ଧା ପୋରାଂଚଳରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୮ଘଟିକା ସମୟରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସହର ସାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା । ଘ.୮.୩୦ମିନିଟ୍ ସମୟରେ ମହତ୍ମା ଗାନ୍ଧୀ ମାର୍ଗର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗବ୍ଦେବ ସମ୍ମାନୀତ ଅତିଥି ଭାବରେ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସ୍ତମ୍ଭକାର ଓ ସାହିତ୍ୟିକ ଉମାଶଙ୍କର ପ୍ରସାଦ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଗାନ୍ଧୀଜିଙ୍କର ଅବଦାନ ଓ ବଳିଦାନ ଯୋଗୁଁ ଆମ ଦେଶ ସ୍ୱାଧୀନ ହେବା ସହ ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ନିଜକୁ ଗର୍ବ ଅନୁଭବ କରୁଛୁ । ତାଙ୍କ ଆଦର୍ଶ ଅହିଂସା ପରମ ଧର୍ମରେ ସମସ୍ତେ ଅନୁପ୍ରାଣିତ ହେଲେ ଭାରତ ବର୍ଷ ବିଶ୍ୱରେ ଏକ ନମ୍ବର ଦେଶ ଭାବରେ ପରିଗଣିତ ହୋଇପାରିବ ବୋଲି ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ବୋଲି କହିଥିଲେ । ମୁଖ୍ୟ ବକ୍ତା ଉମାଶଙ୍କର ପ୍ରସାଦ କହିଥିଲେ ଯେ, ଗାନ୍ଧୀ କିପରି ଜଣେ ସାଧାରଣ ବ୍ୟକ୍ତିରୁ ମହାତ୍ମା ହେଲେ ଜଣେ ସ୍ୱଳ୍ପ ବସ୍ତ୍ର ପରିହିତ ମଣିଷରୁ ଜନ ପ୍ରିୟ ଜାତିର ଜନକ ହୋଇପାରିଲେ ସେ ସମ୍ପର୍କରେ ନିଜର ବକ୍ତବ୍ୟରେ କହିଥିଲେ । ଆଜିର ଯୁବ ପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗାନ୍ଧୀଜିଙ୍କ ଯୋଗୁଁ ଭାରତ ସ୍ୱାଧୀନତା ପାଇପାରିଥିଲା । ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଆମ ଦେଶ ବିଶ୍ୱରେ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ପରିଗଣିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଏହି ସାଧାରଣ ସଭାରେ ବିଭିନ୍ନ ବିଦ୍ୟାଳୟ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବି ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।