ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା: ଏତଲା ପରେ ଜଣେ ଚିହ୍ନଟ

0

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ତଦନ୍ତ ପାଇଁ ଗଠିତ ହୋଇଛି ୫ଜଣିଆ ଟିମ୍‌ । ସେହିଭଳି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ ।

ପୁରୀ ଏସ୍‌ପିଙ୍କ କହିବା ଅନୁଯାୟୀ, ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣାରେ ଆଇପିସିର ଧାରା ୪୨୭, ୨୯୫, ୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି ।ଘଟଣାରେ ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଥିବା ସମୟରେ ଘଟଣାରେ ଥାନାରେ ଏତଲା ପରେ ଜଣେ ଚିହ୍ନଟ ହୋଇଛନ୍ତି । ସିସିଟିଭି ଯାଞ୍ଚରୁ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ସୁଆର ମହାସୁଆର ସଭାପତିଙ୍କ ଉପସ୍ଥିତିରେ ଚାଲିଛି ସିସିଟିଭି ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା ପରେ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଘଟଣାକୁ ନେଇ ଜିଲ୍ଲାପାଳ ଓ ଏସପି ବୈଠକ କରିଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ଜଗନ୍ନାଥଙ୍କ ୮୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଯୋଜନାବଦ୍ଧ ଭାବେ ଏକାଧିକ ବ୍ୟକ୍ତି ମହାପ୍ରଭୁଙ୍କ ଚୁଲାକୁ ଭାଙ୍ଗିଥିବା ସୂଚନା ମିଳିଛି । ଶ୍ରୀମନ୍ଦିରରେ ପହଡ଼ ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା ଥିବା କାରଣରୁ ପହଡ଼ ପଡ଼ିବା ପୂର୍ବରୁ ଏସବୁ ଚୁଲାକୁ ଭଙ୍ଗାଯାଇଛି । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା କରାଯାଇଛି ।ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି, ମହାପ୍ରଭୁ ସମଗ୍ର ଓଡିଶାବାସୀ ଓ ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ ।

ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି । ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ । ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତି ନହେବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।