ବିରୋଧୀଙ୍କୁ ମାତ ଦେବାରେ ସିଦ୍ଧହସ୍ତ ନବୀନଙ୍କ ଦଶ ମହାରଥୀ

0

ଭୁବନେଶ୍ୱର/ସରୋଜ ରାଉତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶାସନ ଗାଦିକୁ ହାତେଇ ଇତିହାସ ରଚନା କରିଛନ୍ତି । ଏହି ପାଳିରେ ନବୀନଙ୍କୁ ଘେରି ରହିଛନ୍ତି ୧୦ ଜଣ ମହାରଥି । ସମନ୍ୱୟ ରକ୍ଷା କରିବାକୁ ଦଳ ଓ ପ୍ରଶାସନରେ ୫ ଜଣ ଲେଖାଏଁ ମହାରଥି ନବୀନଙ୍କ ପଞ୍ଚମ ପାଳିରେ ଗୁରୁତ୍ୱ ବହନ କରୁଛନ୍ତି । ନବୀନଙ୍କୁ ଜାଣିଥିବା ଲୋକଙ୍କୁ ଜଣା, ନବୀନଙ୍କ ନିକଟତର ହେବା, ବିଶ୍ୱାସ ଭାଜନ ହେବା ଏତେ ସହଜ ନୁହେଁ । ତାଙ୍କ ଗୁଡ ବୁକରେ ସ୍ଥାନ ପାଇବାକୁ ହେଲେ ଅନେକ ପାମ୍ପଡ ବେଲିବାକୁ ହୋଇଥାଏ, ତେବେ ଏହି ପାମ୍ପଡ କୌଣସି ନକରାତ୍ମକ ଦିଗରେ ନୁହେଁ, ସ୍ୱଚ୍ଛ ନିର୍ମଳ ଶାସନ ପାଇଁ ଆବଶ୍ୟକ ହେଉଥିବା ସ୍ୱଚ୍ଛତା ଓ ଦକ୍ଷତା ଆଧାରରେ ବ୍ୟବହୃତ । ଏମାନେ ସର୍ବଦା ନବୀନଙ୍କ ଚାରି ପଟେ ସୁରକ୍ଷା ବଳ ହୋଇ ଠିଆହୋଇଛନ୍ତି । ବିରୋଧୀଙ୍କ ସବୁ ଚାଲକୁ ମାତ ଦେବାରେ ଏହି ପ୍ରଶାସନିକ ଅଧିକାରୀ ଦକ୍ଷତା ହାସଲ କରି ପୁନଃ ଲୋକଙ୍କ ସମ୍ମୁଖରେ ନବୀନଙ୍କୁ ଲୋକପ୍ରିୟ ନେତା କରି ଆସୁଛନ୍ତି ।

ପ୍ରଶାସନିକ କ୍ଷେତ୍ରରେ ନବୀନଙ୍କ ସ୍ୱଚ୍ଛତାକୁ ଆଗେଇ ନେବାକୁ ରହିଛନ୍ତି ନବୀନଙ୍କ ଏକାନ୍ତ ବିଶ୍ୱସ୍ତ, ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଓ ମୋ ସରକାରର ମୁଖ୍ୟ ଭି କେ ପାଣ୍ଡିଆନ । ୨୦୧୨ରୁ ସେ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୨୦୧୨ ମେ ମିଡ ନାଇଟ ଅପରେସନକୁ ନବୀନଙ୍କ ଅନୁପସ୍ଥିତିରେ ପାଣ୍ଡିଆନ ଦକ୍ଷତାର ସହ ହ୍ୟାଣ୍ଡେଲ କରି ଅପରେସନକୁ ବିଫଳ କରିଥିଲେ । ଏହା ପରଠାରୁ ପାଣ୍ଡିଆନ ଆଜି ପର୍ଯ୍ୟନ୍ତ ନବୀନଙ୍କ ଗୁଡ ବୁକରେ ରହିବା ସହ ସରକାରୀ କଳକୁ ଦୁର୍ନୀତି ମୁକ୍ତ କରି ତୋଳିବା କାର୍ଯ୍ୟରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ସମୟରେ ସରକାର ସମ୍ମୁଖୀନ ହେଉଥିବା ସମସ୍ୟାର ସଫଳତାର ସହ ସମାଧାନ କରୁଛନ୍ତି ।

ସେହିପରି ୧୯୮୬ ବ୍ୟାଚର ସୁରେଶ ମହାପାତ୍ର ମଧ୍ୟ ନବୀନଙ୍କ ଗୁଡ ବୁକରେ ରହିଛନ୍ତି । ଏହି ଓଡିଆ ଆଇଏଏସ ଅଫିସର ଶ୍ରୀମନ୍ଦିର ପ୍ରଶାସକ, ଓଡିଶା ଦୁଗ୍ଧ ସଂଘର ଅଧ୍ୟକ୍ଷ, ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ କାମ କରିବା ସହ ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ବିଭାଗ, ଏଗ୍ରୋ ଇଣ୍ଡଷ୍ଟ୍ରି କପୋରେସନ ଲିମିଟେଡ ପରିି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୨୦ରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ମଧ୍ୟ ରାଜ୍ୟ ସରକାରୀ କଳରେ ଏକ ଗୁରୁତ୍ୱ ପୂର୍ବ ଭୂମିକା ତୁଲାଇ ଆସିଛନ୍ତି । ସେହିପରି ୧୯୮୯ ବ୍ୟାଚର ପ୍ରଦୀପ ଜେନା ବର୍ତ୍ତମାନ ନବୀନଙ୍କ ଟିମର ଜଣେ ଦକ୍ଷ ଆଇଏଏସ ଅଫିସର । ଏହି ଆଇଏଏସ ଅଫିସର ସବର୍ଦା ନିର୍ଭୀକ, ନିରପେକ୍ଷ କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସିଛନ୍ତି । ଡିସେମ୍ବର ୨୮ ୨୦୨୦ରେ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ରାଜ୍ୟର ୯ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଛରେ ପକାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏହା ବ୍ୟତୀତ ସେ ମଧ୍ୟ ରାଜ୍ୟ ଉନ୍ନୟନ କମିଶନ ଅଧ୍ୟକ୍ଷ ହୋଇଛନ୍ତି ।

ଏହା ପରେ ନବୀନଙ୍କ ଗୁଡ ବୁକରେ ଯେଉଁ ଅଧିକାରୀମାନେ ରହିଛନ୍ତି ସେ ହେଲେ ୨୦୦୫ ବ୍ୟାଚର ଆଇଏଏସ ଭିନିଲ କ୍ରିଷ୍ଣା, ଯିଏ ମାଲକାନଗିରି ଜିଲ୍ଲାପାଳ ଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । ସେ ଜଣେ ଜନ ପ୍ରିୟ ଜିଲ୍ଲାପାଳ ଥିଲେ । ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ତାଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ପରେ ସେ ପରିବେଶ ଓ ଜଙ୍ଗଲ, ଗ୍ରମ୍ୟ ବିକାଶ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରିବା ସହ କୋଭିଡ ପାଣ୍ଡାମିକ ସମୟରେ କୋଭିଡ ପରିଚାଳନାରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଥିଲେ । ସେହିପରି ପବ୍ଲିକ ୱାର୍କ ଡିପାର୍ଟମେଣ୍ଟର ସେକ୍ରେଟାରୀ କମ କମିଶନର ଭାବେ ଦାୟିତ୍ୱ ତୁଲାଉଥିବା୨୦୦୨ ବ୍ୟାଚର କିଶନ କୁମାର ମଧ୍ୟ ନବୀନଙ୍କ ଟିମର ଅନ୍ୟତମ ସଦସ୍ୟ । ସେ ଶ୍ରୀମନ୍ଦିର ପ୍ରଶାସକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । କୋଭିଡ ସମୟରେ ରଥଯାତ୍ରା ପରି ଏକ ଅସମ୍ଭବ କାର୍ଯ୍ୟକୁ କିଶନ କୁମାରଙ୍କ ନେତୃତ୍ୱରେ ସମ୍ଭବ କରାଯାଇ ବିଶ୍ୱରେ ଇତିହାସ ସୃଷ୍ଟି କରାଯାଇଛି ।

ଏମାନେ ଗଲେ ପ୍ରଶାସନିକ ଅଧିକାରୀ । ରାଜନୈତିକ କ୍ଷେତ୍ରରେ ମଧ୍ୟ ଭଲ କାମ କରି ନବୀନଙ୍କ ଦଳରେ ସାମିଲ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା ଓ ମାନସ ମାଙ୍ଗରାଜ । ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ ଓ ସଞ୍ଜୟ ଦାସ ବର୍ମା ଦଳର ବରିଷ୍ଠ ଓ ପୁରୁଣା ନେତା ହୋଇଥିବା ବେଳେ ଅଚ୍ୟୁତ ସାମନ୍ତ ଓ ମାନସ ମଙ୍ଗରାଜ ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି । ତେବେ ଏହି ନେତା ମାନେ ସେମାନଙ୍କ ଦଳ ପ୍ରତି ନିଷ୍ଠା ପାଇଁ ପରିଚିତ । ଏହି ନେତାମାନେ ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏହି ୫ ଜଣ ନେତାଙ୍କ ମଧ୍ୟରେ ରହିଛି ପ୍ରଖର ସାଂଗଠନିକ ଦକ୍ଷତା । ସେହପରି ପ୍ରଣବ ସର୍ବଦା ଦଳ ତଥା ନବୀନଙ୍କ ପାଇଁ ମୁଖଶାଳା ସଦୃଶ ହୋଇ ରହିଛନ୍ତି । କୌଣସି ପ୍ରତିବନ୍ଧକ ଦଳ ବା ସୁପ୍ରିମୋଙ୍କ ପ୍ରତି ଆସିଲା ପ୍ରଥମେ ଏହା ପ୍ରଣବକୁ ଛୁଇଁ ଥାଏ ଓ ସବୁ କ୍ଷେତ୍ରରେ ପ୍ରଣବ ଏହାକୁ ପ୍ରତିହତ କରିଥାନ୍ତି । ତେଣୁ ତାଙ୍କ ରାଜନୈତିକ ବିଶେଷଜ୍ଞ ବିଜେଡିର ଚାଣକ୍ୟ କହିଥାନ୍ତି । ସେହିପରି ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ଡ ସାମନ୍ତ ଓ ମାନସ ମଙ୍ଗରାଜଙ୍କ ସାଂଗଠନିକ ଦକ୍ଷତା କିଛି କମ ନୁହେଁ । ମଧ୍ୟ ଜଣେ ଲୋକ ପ୍ରିୟ ନେତା ।ଏହି ନେତାଗଣ ନିଜ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟକରି, ଦଳ ପାଇଁ ନିସ୍ଵାର୍ଥପର ସେବା ପ୍ରଦାନ କରି ଦଳ ସୁପ୍ରିମୋଙ୍କ ଗୁଡ ବୁକରେ ସ୍ଥାନ ପାଇଛନ୍ତି ।