ତୃତୀୟ ବର୍ଷ ପାଇଁ ମୁମ୍ବାଇରେ ରେକର୍ଡ ହେଲା ୩ ହଜାର ମିମି ବର୍ଷା

0

 

ମୁମ୍ବାଇ: ଚଳିତ ବର୍ଷ ମଧ୍ୟ ମୁମ୍ବାଇରେ ୩ ହଜାର ମିଲିମିଟର(ମିମି) ବର୍ଷା ରେକର୍ଡ କରାଯାଇଛି । ଚଳିତ ସପ୍ତାହର ସୋମବାର ଦିନ ୩ ହଜାର ମିମି ବର୍ଷା ହୋଇଛି । ଏହା ଲଗାତର ତୃତୀୟ ବର୍ଷ ପାଇଁ ରେକଡ ହୋଇଛି । ଆଇଏମଡି ସାନ୍ତାକ୍ରୁଜଙ୍କ ଅନୁସାରେ ସୋମବାର ବର୍ଷା ପରେ ଚଳିତ ଋତୁରେ ୩୦୩୬.୩ ମିମି ରେକର୍ଡହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ମୁମ୍ବାଇରେ ମୋଟ ୩ହଜାର ୬୮୧ ମିମି ବର୍ଷା ହୋଇଥିଲା। ୨୦୧୯ରେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ୩ହଜାର ୬୩୫.୫ମିମି ବର୍ଷା ହୋଇଥିଲା।
ମୁମ୍ବାଇରେ ବୁଧବାର ମଧ୍ୟ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ କରିଛନ୍ତି। । ମଙ୍ଗଳବାର ମୁମ୍ବାଇରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା। ସେହି ଅନୁସାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ଲାଗି ରହିଛି। ତେବେ କୌଣସି ଠାରେ ପାଣି ଜମା ହେବାର ଓ ଏଥିଯୋଗୁ ଟ୍ରାଫିକ, ସାର୍ବଜନିକ ପରିବହନ ଅଥବା ରେଳ ସେବା ପ୍ରଭାବିତ ହୋଇଥିବାର ସୂଚନା ନାହିଁ।
ବୁଧବାର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ସେଣ୍ଟ୍ରାଲ ମୁମ୍ବାଇରେ ବର୍ଷା ପରିମାଣ କମିବା ଆକଳନ କରାଯାଇଛି । ଏଥିନେଇ ଆଇଏମଡି ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଠାଣେ ଓ ରାୟଗଡ଼ ଆଦି ଜିଲ୍ଲା ଲାଗି ମଙ୍ଗଳବାର ରେଡ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଚଳିତ ବର୍ଷ ବର୍ଷାରେ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମଞ୍ଜାରା ବନ୍ଧ ସଲଗ୍ନ ଅଞ୍ଚଳ ଲାଗି ବର୍ଷା ବିପଦ ସୃଷ୍ଟି କରିଛି। ବନ୍ଧରେ ଜଳସ୍ତର ବଢିବାରୁ କର୍ତ୍ତୃପକ୍ଷ ଜଳ ନିଷ୍କାସନ ଲାଗି ବନ୍ଧର ସମସ୍ତ ୧୮ଟି ଜାକ ସ୍ଲୁଇସ୍ ଗେଟ୍ ଖୋଲିଦେଇଛନ୍ତି। ବିଡ଼ ଜିଲ୍ଲା ଲାଗି ବନ୍ୟା ଆଶଙ୍କା ଦେଖା ଦେଇଛି।