ଆଗେ ଘର ସମ୍ଭାଳ, ପଛେ ପର କଥା

0

ଭୁବନେଶ୍ୱର/ଶିଳାସ୍ମିତା ରାୟ: ବର୍ତ୍ତମାନ ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ରାଜ୍ୟ ଅକ୍ସିଜେନ ପ୍ରସ୍ତୁତିରେ ଆଗରେ ରହିଛି । ରାଜ୍ୟର ଆବଶ୍ୟକତାଠୁ ଅଧିକ ଅକ୍ସିଜେନ ଆମ ପାଖରେ ରହିଛି । ତେଣୁ ଓଡିଶା ଦିଲ୍ଲୀ, ମହାରାଷ୍ଟ୍ର ଆଦି ଅକ୍ସିଜେନର ଉତ୍କଟ ଅଭାବ ଥିବା ରାଜ୍ୟକୁ ଅକ୍ସିଜେନ ଯୋଗାଇ ଚାଲିଛି । କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଯୁବକ ଅକ୍ସିଜେନ ନ ପାଇ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି । ଏହି ଖବର କେତେକ ଗଣମାଧ୍ୟମରେ ଆସିବା ପରେ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ବିପୁଳ ପରିମାଣର ଅକ୍ସିଜେନ ମହଜୁଦ ରହିଛି । କୌଣସି ହସ୍ପିଟାଲରେ ଅକ୍ସିଜେନ ଅଭାବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।

ତେବେ ନିକଟରେ ଏକ ଅଡିଓ ଶୁଣିବାକୁ ମିଳିଥିଲା, ଯେଉଁଥିରେ ଜଣେ ସାମ୍ବାଦିକ ରାଜ୍ୟରେ ମେଡିକାଲ ଅକ୍ସିଜେନର ସ୍ଥିତିକୁ ନେଇ ଇନକ୍ୟୁରୀ କରିବା ବେଳେ ଭିନ୍ନ ଏକ ତଥ୍ୟ ଆସିଥିଲା । ସେ ଏକାଧିକ ଅକ୍ସିଜେନ ସିଲିଣ୍ଡର ଯୋଗାଣକାରୀ ସଂସ୍ଥାକୁ ଫୋନ କରି ତାଙ୍କ ପରିବାର ପାଇଁ ଅକ୍ସିଜେନ ଆବଶ୍ୟକ ଥିବା ପଚାରିଥିଲେ । କିନ୍ତୁ ଯେଉଁଠିକୁ ବି ସେ କଲ କରିଥିଲେ ସେଠାରୁ ମିଳିଥିଲା ନକାରାତ୍ମକ ଉତ୍ତର । ସମସ୍ତେ କହିଥିଲେ, ଆମ ପାଖରେ ଅକ୍ସିଜେନ ନାହିଁ । ଯେଉଁ କମ୍ପାନୀରୁ ଅକ୍ସିଜେନ ଆସୁଥିଲା, ତାହା କିଛି ଦିନ ହେବ ବନ୍ଦ ରହିଛି । ବର୍ତ୍ତମାନ ରାଜ୍ୟରେ ମେଡିକାଲ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଲାଣି । ଏହା ସତ୍ତେ୍ୱ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଡିକାଲ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣରେ ଓଡିଶା ସର୍ପ୍ଲସରେ ରହିଥିବା କୁହାଯାଉଛି । ବାସ୍ତବରେ ସତ କିଏ କହୁଛନ୍ତି ।

ଯଦି ରାଜ୍ୟ ସରକାରଙ୍କ ତଥ୍ୟ ସତ ହୋଇଥାଏ, ତେବେ ମଧ୍ୟ ଏତିକି କୁହାଯାଇ ପାରେ ନିଜ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ସିଜେନ ଯୋଗାଣ କରାଯାଉ । ଏମିତି ନ ହେଉ କି, ବିଶ୍ୱ ଦରବାରରେ ମୁଖ୍ୟମନ୍ତ୍ରୀ ନିଜ ମହାନତା ଦେଖାଇବାକୁ ଯାଇ ରାଜ୍ୟକୁ ବିପତ୍ତି ଆଡକୁ ଠେଲି ନ ଦିଅନ୍ତୁ । ଠିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୀକା ଯୋଗାଣ ପରି । ଦେଶରେ ଦୁଇ ଗୋଟି ଟୀକା ବିକଶିତ ହେଲା । ନିଜ ଦେଶର ନାଗରିକଙ୍କ ଟୀକାକରଣରେ ବ୍ୟାପକତା ଅଣା ନ ଯାଇ ବିଦେଶକୁ ରତ୍ପାନୀ କରାଗଲା । ଏହା ମଧ୍ୟରେ ଦେଶ ବିଭିନ୍ନ ଦେଶକୁ ୬୬ ମିଲିୟନ ଭ୍ୟାକ୍ସିନ ଡୋଜ ଯୋଗାଇ ଦେଇଦେଇଥିବା ବେଳେ ଜାନୁଆରୀ ମଧ୍ୟଭାଗରୁ ଏପ୍ରିଲ ମଧ୍ୟ ଭାଗ ପର୍ଯ୍ୟନ୍ତ ୧୩୦ ମିଲିୟନ ଭ୍ୟାକ୍ସିନ ଭାରତରେ ଦିଆଯାଇଛି ।

ତେବେ ଭ୍ୟାକ୍ସିନ ଯୋଗାଣରେ କେବଳ ଭାରତ ନୁହେଁ, ଚୀନ, ଇରୋପିଆନ ୟୁନିୟନ ମଧ୍ୟ ଅନ୍ୟ ଦେଶକୁ ଭ୍ୟାକ୍ସିନ ରପ୍ତାନୀ କରିଛନ୍ତି । କିନ୍ତୁ ପ୍ରଥମେ ନିଜ ଦେଶର ଟୀକା କରଣକୁ ପ୍ରାଧାନ୍ୟ ଦେଇଥିଲେ । ଯଦି ଭାରତ ମଧ୍ୟ ଘରୋଇ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାନ୍ତା, ତେବେ ଆହୁରି ଗୋଟିଏ ମାସ ଟୀକାକରଣ ସମ୍ଭବ ହୋଇଥାନ୍ତା ଓ ଦେଶର ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଟୀକା ଦେବା ସମ୍ଭବ ହୋଇ ପାରିଥାନ୍ତା ବୋଲି ବିଶେଷଜ୍ଞ ମତ ଦିଅନ୍ତି । ସେହିପରି ମଧ୍ୟ ଭାରତ ଯଦି ସମୟ ଥାଇ ନିଜ ଅକ୍ସିଜେନ ଆବଶ୍ୟକତାକୁ ନେଇ ଚିନ୍ତା କରିଥାନ୍ତା ତେବେ ଆଜି ଏତେ ସଂଖ୍ୟାରେ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରି ନ ଥାନ୍ତେ । ତେଣୁ ରାଜ୍ୟ ସରକାର ନିଜ ଆବଶ୍ୟକତାକୁ ପ୍ରଥମେ ପ୍ରାଥମିକତା ଦେଇ ପରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇଦେବା ଆବଶ୍ୟକ । ନୋହିଲେ ଆଜି ପାକିସ୍ତାନ ପରି ରାଷ୍ଟ୍ର ଭାରତକୁ ସହଯୋଗର ହାତ ବଢାଇବା ପରି ଆମ ରାଜ୍ୟ ମଧ୍ୟ ଅନ୍ୟର ସାହାଯ୍ୟକୁ ଚାହିଁ ବସିବ ଓ ଏହାରି ମଧ୍ୟରେ ଅନେକ ଜୀବନ ଅକାଳରେ ଝଡିଯିବ ନିଜ ଅପରିଣାମଦର୍ଶିତାକୁ ନେଇ