ମାଡ଼ି ଆସୁଛି ଆଉ ୨ ଲଘୁଚାପ

0

ଭୁବନେଶ୍ୱର: ମାଡିଆସୁଛି ଆଉ ୨ ଲଘୁଚାପ। ଗୋଟିଏ ଲଘୁଚାପ ଆସନ୍ତା ୧୩ ତାରିଖ ସୃଷ୍ଟି ହେବାକୁ ଥିବା ବେଳେ ଆଉ ଗୋଟିଏ ଲଘୁଚାପ ୧୮ ତାରିଖ ବେଳକୁ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‍ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଲଘୁଚାପ ଯୋଗୁଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନର ଲଘୁଚାପର ସର୍ବାଧିକ ପ୍ରକୋପ ଦକ୍ଷିଣ ଓଡ଼ିଶାରେ ପଡ଼ିଛି। ମାଲକାନଗିରି ସମେତ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ରାସ୍ତାରେ ପାଣି ଚାଲୁଥିବା ବେଳେ ବିଲବାଡ଼ି ଜଳାର୍ଣ୍ଣବ ହୋଇଛି। ୩୨୬ ନଂ ଜାତୀୟ ରାଜପଥରେ ପାଣି ଚାଲୁଥିବା ବେଳେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ବୁଧବାର ସକାଳେ ଛତିଶଗଡ ମୁହାଁ ହୋଇଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ ତାରିଖରେ ସାମାନ୍ୟ ବର୍ଷା କମିବ । ପରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ ।