ଭୁବନେଶ୍ୱର: ଓଡ଼ିଶା ମାଟିର ଝିଅ ଦେଶର ମହାମହିମ । ଯାହାକୁ ନେଇ ଗର୍ବିତ ପତ୍ୟେକ ଓଡିଶା ବାସୀ । ଭାରତର ପ୍ରଥମ ନାଗରିକ ହେବା ପରେ ଆଦିବାସୀଙ୍କ ଆଖିରେ ଏକ ନୂଆ ଆଲୋକ ଦେଖାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଣୁ ବିଧାନସଭା ତରଫରୁ ତାଙ୍କୁ ସମ୍ବୋର୍ଦ୍ଧିତ କରିବାକୁ ନିଆଯାଇଥିଲା ସଂକଳ୍ପ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତିଙ୍କୁ ଓଡିଶାର ବିଧାୟକମାନେ ଭେଟିବାକୁ ଦିଲ୍ଲୀରୁ ଆସିଥିଲା ପ୍ରସ୍ତାବ । ଯାହାକୁ ଗ୍ରହଣ କରି ଆସନ୍ତା ୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଦିଲ୍ଲୀ ଯିବେ ଓଡିଶାର ୨୬ ବିଧାୟକ । ଏବଂ ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଜଣାଇବେ ଅଭିନନ୍ଦନ ।
ଓଡିଶା ବିଧାନସଭା ପକ୍ଷରୁ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନିକାନ୍ତ ସିଂ , ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଦେବ, ପ୍ରମିଳା ମଲ୍ଲୀକଙ୍କ ସହିତ ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ରଙ୍କ ଭଳି ଅନେକ ଶାସକ ଦଳର ବିଧାୟକ ଯିବେ ଦିଲ୍ଲୀ । କେବଳ ଶାସକ ଦଳର ନେତା ନୁହଁନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ବିଧାନ ସଭା ପକ୍ଷରୁ ଦିଲ୍ଲୀ ଯାଇ ଜଣାବେ ଅଭିନନ୍ଦନ । ସେହିପରି କଂଗ୍ରେସରୁ ବିଧାୟକ ନେତା ନରସିଂ ମିଶ୍ର ଓ ତାରା ପ୍ରସାଦ ବାହିନୀ ପତି ମଧ୍ୟ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଦାୟୀତ୍ୱ ନେବା ପରଠୁ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସମେତ ଅନେକ ନେତା ମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା । ଏବଂ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରୁଛନ୍ତି । ଦାୟୀତ୍ୱ ନେବାର ପରଦିନ ଖୋଦ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଶପଥ ଗ୍ରହଣରେ ଯୋଗ ଦେଇଥିଲେ ।