ବୁଢି ମା ବେକରେ ବନ୍ଧା ୩ ଶିଶୁ

0

ଉଦଳା/ ଦିପକ ମିଶ୍ର: ଚମ ଧୁଡୁଧୁଡୁ ହୋଇ ଗଲାଣି । ବୟସର ଅପରାହ୍ନରେ ବି ସେ ପହଚିଂ ସାରିଲେଣି । ତଥାପି ସେ ଥକିପଡି ନାହାନ୍ତି । ଯେଉଁ ବୟସରେ ସେବା ପାଇବା କଥା, ସେ ବୟସରେ ପେଟ ପାଇଁ କାମ କରୁଛନ୍ତି । ଖାଲି ତାଙ୍କ ପେଟ ନୁହେଁ ୩ ଟି ପିଲା ତାଙ୍କ ବେକରେ ବନ୍ଧା । ସେମାନଙ୍କୁ କେମିତି ମଣିଷ କରାଇବେ , ସେ ଚିନ୍ତାରେ ବୁଢି ଜେଜେମା । ଆଖିରେ ଲୁହ, ମନରେ ଅସୁମାରୀ କୋହ । କାହାକୁ ଏ ଦୁଃଖ ଜଣାଇବେ, ପାଖରେ ପଡୋଶୀ ଛଡା ଆଉ କେହିନାହାନ୍ତି । ପୁଅର ମୃତ୍ୟୁ ପରେ ବୋହୂ କୁଆଡେ ଯାଇଛି, ତାର ଠିକଣା ନାହିଁ । ଏବେ ବୁଢି ଜେଜେମା ନିରୁପାୟ ।

କଂସାରେ ଭାତ ,ପତ୍ରରେ ଲୁଣ । କିଏ ବା ଏମିତି ଖାଏ, ଭାତ ସହିତ କିଛି ତ ଟିକେ ଦରକାର । ନହେଲେ କେମିତି ଜଣେ ଖାଲି ଭାତକୁ ଖାଇପାରିବ । କିନ୍ତୁ ଏମାନଙ୍କ ପାଇଁ ଏହି ଖାଇବା ସବୁକିଛି । କାରଣ ବୁଢି ଜେଜେମା ମଜୁରିଆ ଲାଗି ୩ ଜଣ ନିଷ୍ପାପ ଶିଶୁଙ୍କ ପେଟରେ ଆହର ଦେଉଛନ୍ତି । ଯେଉଁ ପରିବାର ହସଖୁସିରେ ଜୀବନ ବିତାଉଥିଲେ, ସେ ପରିବାର ଉପରେ ମାଡି ଆସିଥିଲା କଳାବାଦଲ । ପୁଅର ମୃତ୍ୟୁ ପରେ ମାଆ ହୋଇଗଲେ ସଂପୂର୍ଣ୍ଣ ଏକା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଲାବଣ୍ୟଦେଇପୁର ଗ୍ରାମପଚାଂୟତର ହୁଡି ସାହିରେ । ଯେଉଁ ପାହାଡ ପର୍ବତ ଭରାରେ ରୁହନ୍ତି ସାକ୍ରା ସୋରେନ । ପୁଅର ମୃତ୍ୟୁ ହେବା ପୂର୍ବରୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଆଣି ବେଶ ଭଲଭାବରେ ଜୀବନ କାଟୁଥିଲେ ସାକ୍ରାଙ୍କ ପରିବାର । କିନ୍ତୁ ଦଇବ ଅଧାବାଟରେ ଦାଉ ସାଜିଲା ।

ବୁଢି ମାଆ ପାଖରୁ ପୁଅ ଛଡାଇ ନେବାପରେ ବୋହୂ ବି ଏକା କରି କୁଆଡେ ପଳାଇଗଲା । ଏବେ ୩ ଜଣ ନାତି ନାତୁଙ୍କୁ ନେଇ ସାକ୍ରାଙ୍କ ପରିବାର । ଏହି କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେବୁଢି ଜେଜେମାଆ । ଏ ଶିଶୁମାନେ ପୂର୍ବ ଜନ୍ମରେ କଣ ଯେ ପାପ କରିଥିଲେ, ଏ ଜନ୍ମରେ ମା”ବାପାଙ୍କ ଆଦର ପାଇବାରୁ ବଚିଂତ ରହିଲେ । କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାର । ଖେଳକୁଦ କରିବା ସମୟରେ ଘରର ଦାୟିତ୍ୱ ବୁଝିବାକୁ ପଡୁଛି । କଲମ ଧରିବା ବୟସରେ ଏବେ ବୁଢିଜେଜେ ମା ସହିତ କାମରେ ଲାଗିପଡିଛନ୍ତି । ୪ ଶିଶୁ ଭିତରୁ ଆଶ୍ରମ ସ୍କୁଲରେ ପଢୁଛି ଝିଅ । ଆଉ ତିନିଜଣ ବୁଢିମାଆ ସହିତ ମହୁଲ ଗୋଟାଇବା ସହ ଘରର ନିତିକାର୍ଯ୍ୟ କରୁଛନ୍ତି । ତେବେ ଏହି ମଧ୍ୟରେ ୪ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଝିଅକୁ ଆଶ୍ରମ ସ୍କୁଲରେ ରଖି ପଢାଉଛନ୍ତି ।

ଅନ୍ୟ ତିନି ଶିଶୁ ସକାଳ ହେବା ପାଖରୁ ବୁଢିମାଆ ସାକ୍ରା ସହିତ ମହୁଲ ଗୋଟାଇବା ସହ ଘରର ନିତିକାର୍ୟ୍ୟ ଯଥା କାଠଚିରିବା, ଦୂର ନଳକୂପରୁ ପାଣି ଆଣିବା, ଛେଳି ଚରାଇବା ଓ ରୋଷେଇ କରିବାରେ ସାହାର୍ୟ୍ୟ କରୁଛନ୍ତି । ତେବେ ଦୁଃଖର ବିଷୟ ୧୦ ବର୍ଷର ପିଲାଙ୍କ ଏଭଳି କାର୍ୟ୍ୟ ଆପଣଙ୍କ ସ୍ୱଦୃଷ୍ଟିରେ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।ସବୁପରେ ମଧ୍ୟ ଏହି ପିଲାମାନେ କେତେବେଳେ ହସଖୁସିରେ ଖେଳକୁଦ କରିଥାନ୍ତି ତ କେତେବେଳେ କିଛି ଭାବି ମନଦୁଃଖ କରି ବସିଥାନ୍ତି । କିନ୍ତୁ ବୁଢିମାଆ ସାକ୍ରା ନିଜକୁ ସମ୍ଭାଳିବା ସହ ପିଲାମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ନିତିକର୍ମ ମଧ୍ୟ କରୁଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସର୍ବମୋଟ ୩୫ କେଜି ଚାଉଳ ମିଳୁଛି । ରାଜ୍ୟ ଅବା କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଥିବା ଆବାସ ଯୋଜନା ମଧ୍ୟ ମିଳିନାହିଁ । ଜଙ୍ଗଲ ଓ ପଥର ଘେରା ଥିବା ଏହି ଘରରେ କେତେବେଳେ ଯେ କଣ ଜୀବଜନ୍ତୁ ବା ଶରୀସୃପ ଜାତୀୟ ପ୍ରାଣୀ ଏହି ଚାଳକୁଡିଆକୁ ପଶି କାହାର ଅନିଷ୍ଟ କରିଦେବେ ତାହା କାହାକୁ ଜଣାନାହିଁ ।

ତେବେ ଏହି ପରିବାରର ଦୁଃଖନେଇ ଆମେ ପହଁଚିଥିଲୁ କପ୍ତିପଦା ଉପଖଣ୍ଡ ର ଉପଜିଲାପାଳ ଭୋଗବାନ ବେହେରା ଙ୍କ ପାଖକୁ ସେ ସମ୍ପୁର୍ଣ୍ଣ ଘଟଣା ବାବଦରେ ଶୁଣି ଦୁଃଖ ପ୍ରକାଶ କରିବା ସହ ପିଲାମାନଙ୍କ ପାଠପଢା ସହ ଓ ସାକ୍ରା ସୋରେନଙ୍କ ପାଇଁ ଏକ ଆବାସ ଗୃହ ଦେବା ସହ ସରକାର ଙ୍କ ଥଇଥାନ ନୀତି ପ୍ରକ୍ରିୟା ରେ ସାମିଲ କରାଇବା ପାଇଁ ପ୍ରତିସୃତି ଦେଇଥିଲେ । ତେବେ ବୁଢିମାଆ ସାକ୍ରାଙ୍କର ଭବିଷ୍ୟତରେ ଯଦି କିଛି ଅଘଟଣ ଘଟିଯାଏ, ତାହେଲେ ଏ ନିଷ୍ପାପ ଶିଶୁ ମାନଙ୍କର କଣ ହେବ । କିଏ ବୁଝିବ ତାଙ୍କ କଥା । ଯଦି ସରକାର ଅବା କୈାଣସି ସହୃନ୍ଦୟ ସଂସ୍ଥା ଏହି ପିଲାମାନଙ୍କ ପାଠପଢା ଆଦି ବୁଝନ୍ତେ , ତାହେଲେ ଏହି ପିଲା ଦିନେ ଭଲ ମଣିଷ ହୁଅନ୍ତେ ବୋଲି ଗ୍ରାମବାସୀ ମାନେ ଆକୁଳ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ନିଷ୍ପାପ ଶିଶୁ ଅନ୍ଧାରୁ ବାହାରି ଆସି, ଦୁନିଆର ଆଲୋକ ଦେଖିବେ ।