ଅଜଣା ରୋଗରେ ଗଲାଣି ୩ମୁଣ୍ଡ

0

ଜୟପୁର: ଅଜଣା ରୋଗରେ ଚାଲିଗଲାଣି ୩ ମୁଣ୍ଡ | ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ | ଗତ ସପ୍ତାହକ ମଧ୍ୟରେ ୩ଜଣଙ୍କର ମୃତ୍ୟୁ ହୋଇଗଲାଣି | ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣକୁ ପ୍ରଥମେ ରାମଗିରି ଏବଂ ପରେ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରୋଗୀର ଅବସ୍ଥା ଗୁରୁତର ଥିବାରୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛନ୍ତି ।
୧୫ରୁ ୨୦ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ୪୫ ଘର ବିଶିଷ୍ଟ ୧୯୪ ଜନସଂଖ୍ୟା ରହିଥିବା ଗ୍ରାମରେ ଦୁଇ ବର୍ଷ ହେଲା ଅଜଣା ରୋଗ ଆତଙ୍କ ଖେଳାଇ ଦେଇଛି। ତେବେ ଶିକ୍ଷା ଏବଂ ସଚେତନତାର ଅଭାବ ସାଙ୍ଗକୁ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଉପରେ ନିର୍ଭର କରୁଥିବା ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସହ ରୋଗର ମୂଳ କାରଣ ଖୋଜି ବାହାର କରିବା ଏବଂ ଏଦିଗରେ ଲୋକଙ୍କୁ ସଚେତନ କରିବା ନିହାତି ଜରୁରୀ ହୋଇପଡିଛି ।କେବଳ ସେତିକି ନୁହେଁ ମାଲକାନିଗିର ମାଥିଲି ହଳଦିକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ସପ୍ତାହରେ ଗଲାଣି ୧୧ ଜୀବନ । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି ।ଚିକିତ୍ସା ନକରି ଅନେକ ଲୋକ ଅନ୍ଧବିଶ୍ୱାସରେ ବଶୀଭୂତ ହୋଇ ଗୁଣିଗାରେଡି ସହାୟତା ନେଇ ଲୋକଙ୍କ ଜୀବନ ମଧ୍ୟ ଯାଉଛି |