କୋଭିଡ ସହାୟତା ପାଇଁ ୪ ମାସରେ ୩ ଲକ୍ଷ ଫୋନ୍ କଲ

0

ଭୁବନେଶ୍ୱର: କୋଭିଡ-୧୯ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସୁବିଧା ଯୋଗାଇ ଦେବା ପାଇଁ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଥିଲା କୋଭିଡ-୧୯ ସହାୟତା କେନ୍ଦ୍ର । ଏଥିପାଇଁ ବିଏମ୍ସି ପକ୍ଷରୁ ଖୋଲାଯାଇଥିବା ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ନମ୍ବର-୧୯୨୯କୁ ଆଜି ସୁଦ୍ଧା ମୋଟ ୩ ଲକ୍ଷ ୨ ହଜାର ୭୦୬ କଲ ଆସିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ୧ ଲକ୍ଷ ୨୧ ହଜାର ୪୨୮ କଲ ଆସିଥିବା ବେଳେ ମୋଟ ୧ ଲକ୍ଷ ୮୧ ହଜାର ୨୭୮ କଲ ଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଅଫିସରେ ପରିଚାଳିତ ହେଉଥିବା ଏହି ସହାୟତା କେନ୍ଦ୍ର ମୋଟ ୮ ହଜାର ୨୭ ଜଣ ଲୋକଙ୍କୁ କୋଭିଡ ହସ୍ପିଟାଲ ପଠାଇଛି । ସେହିପରି ଏହି ସହାୟତା କେନ୍ଦ୍ର ମୋଟ ୧ ଲକ୍ଷ ୪୪ ହଜାର ୫୩ ଜଣ କୋରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଯୋଗାଯୋଗ କରିଛି । ସେହିପରି ଟିକା ନେବା ପାଇଁ ମୋଟ ୨୮ ହଜାର ୫୬୧ ଜଣଙ୍କୁ ଯୋଗାଯୋଗ କରିଛି । ସେହିପରି ଡାକ୍ତରମାନଙ୍କ ସହ ଯୋଗାଯୋଗ କରିବା ମଧ୍ୟ ଏହି ନମ୍ବର ଜରିଆରେ ଲୋକେ ସୁବିଧା ପାଇ ପାରିଛନ୍ତି । ମୋଟ ଉପରେ ୩୮ ହଜାର ୩୬୫ ଜଣ ଲୋକ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି ।
ଟିକାକରଣ, ଅକ୍ସିଜେନ ଯୋଗାଣ, ମେଡିକାଲରେ ଭର୍ତ୍ତି, ସଂଘରୋଧରେ ରହୁଥିବା ବ୍ୟକ୍ତ, ମୃତ୍ୟୁ ସାର୍ଟିଫିକେଟ, ବରିଷ୍ଠ ନାଗରିକଙ୍କୁ ନେବା ଆଣିବା, ରାଜ୍ୟ ବାହାରକୁ ଯିବା, ଟିକା ସାର୍ଟିଫତିକେଟ ଆଦି କ୍ଷେତ୍ରରେ ଏହି ସହାୟତା କେନ୍ଦ୍ର ଲୋକମାନଙ୍କୁ ସହାୟତା କରିଛି ।  ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି, ମହାମାରୀ ସମୟରେ ଏହି ସହାୟତା ନମ୍ବର ଲୋକମାନଙ୍କୁ ସହାଯ୍ୟ କରିବାରେ ସହାୟକ ହୋଇଛି । ଆଗାମୀ ଦିନରେ ସାହାଯ୍ୟ ପାଇଁ ଲୋକେ ଏହି ନମ୍ବରକୁ ଯୋଗଯୋଗ କରିବେ ବୋଲି ସେ ଆଶା ରଖିଛନ୍ତି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଏହି ସହାୟତା ନମ୍ବର କାର୍ଯ୍ୟକାରୀ କରିବା ପାଇଁ ମୋଟ ୪୮ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତିି । ତିନୋଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ କଲ ଉଠାଇବା ପାଇଁ ରହିଛନ୍ତି । ୫ ଜଣ କଲ କରିବା ପାଇଁ ଏବଂ ୮ ଜଣ ଡାକ୍ତରଙ୍କ ସହ ଯୋଗଯୋଗ କରିବା ପାଇଁ ରହିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ୨୪ ଘଣ୍ଟିଆ ଏହି ସହାୟତା କେନ୍ଦ୍ର ଆରମ୍ଭ ହୋଇଥିଲା ।