ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର  : ମହିଳାଙ୍କୁ ଆକ୍ରମଣ କରିବା ଓ ଗାଡି ପୋଡିଦେବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ସୁବାସ ସେଠୀଙ୍କ ସ୍ତ୍ରୀ ସୁଲୋଚନା ସେଠୀ (୪୦)ଙ୍କୁ ଆକ୍ରମଣ କରିବା ଓ ତାଙ୍କ ଘରେ ଏକ ବାଇକକୁ କିଛି ଦୁର୍ବୃତ୍ତ ପୋଡିଦେଇଥିଲେ। ଏନେଇ ସୁଲୋଚନା ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇବା ପରେ ସ୍ଥାନୀୟ ବାରଟା ଗ୍ରାମର କାହ୍ନା ସ୍ୱାଇଁ (୨୮), ଭଗବାନ ନାୟକ (୨୯), କଣ୍ଟେଇପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଦାସ (୩୩) ଏବଂ ଗାଙ୍ଗପୁରର ପ୍ରସାଦ ଡାକୁଆ (୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଲୋଚନାଙ୍କ ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାହ୍ନା ତାର ସହଯୋଗୀଙ୍କ ମାଧ୍ୟମରେ ମାରଣାସ୍ତ୍ର ଧରି ରାତି ୮ଟା ୩୦ ମିନିଟ ସମୟରେ ସୁଲୋଚନାଙ୍କ ବାରଣ୍ଡାକୁ ଆସି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବାଡିପଟ କବାଟକୁ ହାଣି ଦେଇଥିଲା। ଏଥି ସହିତ ସୁଲୋଚନାଙ୍କ ବାରଣ୍ଡାରେ ଥିବା ଓଡି ୩୨ ଏ ୮୦୬୬ ନମ୍ବର ବିଶିଷ୍ଟ ହିରୋ ଗ୍ଲାମାର ବାଇକକୁ ପୋଡି ଦେଇଥିଲେ। ସୁଲୋଚନାଙ୍କୁ ସମର୍ଥନ କରୁଥିବା ସମ୍ପୃକ୍ତ ଗାଁର ଶାନ୍ତିଲତା ସାହୁ (୩୨)ଙ୍କ ଦୋକାନ ଭଙ୍ଗାରୁଜା କରିବା ସହ ଜିନିଷପତ୍ର ଲୁଟ କରିଥିଲେ।

ପୁଲିସ ସୁଲୋଚନାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପୋଡା ବାଇକକୁ ଜବତ କରିବା ସହ ଘଟଣାର ପାରିପାଶ୍ୱିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ତେବେ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ସହ ଏକ ଡବ୍ଲୁବି ୪୦ ଏଜି ୦୮୨୦ ବିଶିଷ୍ଟ ଏକ କଳାପଲସରକୁ ପୁଲିସ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନଂ ୨୯୩/୨୨ରେ ମାମଲା ରୁଜୁ ସହ ଆଇପିସିର ଧାରା ୟୁ/ଏସ ୧୪୭/୧୪୮/ ୨୯୪/୪୨୭/୪୩୬/୩୨୩/୫୦୬/୧୪୯, ଏସସି/ଏସଟି (ପିଓଏ) ଆକ୍ଟରେ ମାମଲା ରୁଜୁ ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭେନ୍ଦୁ ସାହୁ ପ୍ରକାଶ କରିଛନ୍ତି।