ଅଲାରନାଥ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ

୧୫ ଦିନ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

0

ଭୁବନେଶ୍ୱର: ୫-ଟି ସଚିବ ଭିକେ ପାଣ୍ଡିଆନ ବ୍ରହ୍ମଗିରିରେ ଥିବା ପ୍ରସିଦ୍ଧ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଲାରନାଥକୁ ଦର୍ଶନ କରିବାକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ଆବଶ୍ୟକ ସୁବିଧା ସୁଯୋଗ ବାବଦରେ ସମୀକ୍ଷା କରିବା ସହ ମନ୍ଦିର ଭିତ୍ତିଭୂମିର ବିକାଶ ଲାଗି ସମୀକ୍ଷା କରିଥିଲେ। ଏହାଛଡା ମହାପ୍ରଭୁ ଅଲାରନାଥଙ୍କ ସେବାରେ ନିୟୋଜିତ ଥିବା ସେବାୟତଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ପ୍ରକାର ଆଲୋଚନା କରିସାରିବା ପରେ ଦର୍ଶନାର୍ଥୀ, ପର୍ଯ୍ୟଟକ ଓ ସେବାୟତଙ୍କ ଲାଗି ୧୫ ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନଯାତ୍ରା ସମୟରେ ୧୫ ଦିନ ଲାଗି ଅଣସର ଘରେ ରହିଥାନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ଜଗନ୍ନାଥଙ୍କ ପ୍ରତିନିଧି ଭାବରେ ୧୫ ଦିନ ଲାଗି ପୂଜା ପାଇଥାନ୍ତି। ଏହି ସମୟରେ ପର୍ଯ୍ୟଟକ ଓ ଦର୍ଶନାର୍ଥୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ଏହାଛଡା ରାମାନୁଜାଚାର୍ଯ୍ୟ ଓ ଶ୍ରୀ ଚୈତନ୍ୟଙ୍କ ପରି ସାଧୁମାନଙ୍କ ତୀର୍ଥଯାତ୍ରୀଙ୍କ ଲାଗି ଏହି ପୀଠ ପ୍ରସିଦ୍ଧି ଲାଭ କରିଛି।