ସୁନା, ଗହଣା ନୁହେଁ ଏଠି ଚୋର ଲୁଟି ନେଲେ ୬୦ କିଲୋ ଲେମ୍ବୁ

0

ଉତ୍ତରପ୍ରଦେଶ: ଲେମ୍ବୁ ଦରରେ ଲାଗିଛି ନିଆଁ । ଏବେ ସୁନା ଠାରୁ ଅଧିକ ମୂଲ୍ୟବାନ ହୋଇଯାଇଛି ଗୋଟିଏ ଲେମ୍ବୁ । ପେଟ୍ରୋଲ ଡିଜେଲ ପରେ ଏବେ ବଢିଛି ଲୋମ୍ବୁର ଭାଉ । ସାଧାରଣତଃ ଖରା ଦିନ ଆସିଲେ ପଖାଳ କଂସା ପାଖରେ ପଡିଥାଏ ଲେମ୍ବୁର ଆବଶ୍ୟକତା । ଗରିବଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ ପର୍ଯ୍ୟନ୍ତ ଖରାଦିନେ ସଭିଙ୍କ ପାଇଁ ଲେମ୍ବୁର ଆବଶ୍ୟକତା ବଢିଯାଏ । କିନ୍ତୁ ଲେମ୍ବୁର ଦରଦାମ୍ ବୃଦ୍ଧି ନେଇ ଏହାକୁ କିଣିବା ପାଇଁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ ।

ତେବେ ଏହି ମାତ୍ରାଧିକ ଦରବୃଦ୍ଧି ପରେ ସାମ୍ନାକୁ ଆସିଛି ଏକ ଅଜବ ଗଜବ ଚୋରି ମାମଲା । ଯାହାକୁ ଶୁଣି ଆପଣ ମଧ୍ୟ ହସି ହସି ଗଢି ଯିବେ ।

 

ଏଠାରେ ଚୋର ଚୋରି କରିବାକୁ ଆସି ଆଜିର ସମୟର ସବୁଠାରୁ ମୂଲ୍ୟବାନ ଜିନିଷକୁ ଲୁଟି ନେଇଛି । ଏଠାରେ ଚୋରମାନେ ଚୋରି କରିବାକୁ ଆସି କୌଣସି ସୁନା, ରୂପା ଗହଣା ନୁହେଁ ବରଂ ଦିନକୁ ଦିନ ମହଙ୍ଗା ହେଉଥିବା ଲେମ୍ବୁ ଉପରେ ଆଖି ପକାଇଛନ୍ତି । ଏକ ପରିବା ଦୋକାନରୁ ଚୋରମାନେ ଲୁଟି ନେଇଛନ୍ତି ପ୍ରାୟ ୬୦ କିଲୋରୁ ଅଧିକ ଲେମ୍ବୁ । ଏପରିକି ପିଆଜ, ରସୁଣକୁ ମଧ୍ୟ ଛାଡ଼ି ନାହାନ୍ତି ।

ଘଟଣାଟି ଶାହାଜାନପୁର ତିଲହର ଅଞ୍ଚଳରେ ଥିବା ଏକ ପରିବା ହାଟର ଦୃଶ୍ୟ । ଏହି ହାଟରେ ବେପାର କରୁଥିବା ଜଣେ ପରିବା ବେପାରିଙ୍କ ଦୋକାନରୁ ରାତାରାତି ଚୋରି ହୋଇଛି ୫୦ ରୁ ୬୦ କିଲୋ ପର୍ଯ୍ୟନ୍ତ ଲେମ୍ବୁ । ତେବେ ଲେମ୍ବୁକୁ ଛାଡି ଚୋର ମାନେ ୪୦ କିଲୋ ପିଆଜ ଓ ୩୮ କିଲୋ ରସୁଣରେ ମଧ୍ୟ କଳାକନା ବୁଲେଇ ଦେଇଛନ୍ତି ।ବଜାରରେ ଏବେ ହୁ ହୁ ବଢିଚାଲିଛି ଲେମ୍ବୁ ଦର । ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ । ଲେମ୍ବୁ ଗୋଟାଏ ଏବେ ୧୦ ଟଙ୍କାରୁ ଅଧିକ ହେଲାଣି । ଲେମ୍ବୁ କିଲୋ ପିଛା କେଉଁଠି ୩୦୦ ତ ଆଉ କେଉଁଠି ୪୦୦ରେ ପହଞ୍ଚିଲାଣି । ଏଭଳି ମହଙ୍ଗା ମାଡ ପରେ ଏବେ ବିଭିନ୍ନ ସ୍ଥାନରେ ମାତିଛନ୍ତି ଲେମ୍ବୁ ଚୋର । ଏହି ଘଟଣା ପରେ ଯଦି ଆପଣଙ୍କ ଘରେ ଅଛି ଲେମ୍ବୁ ତେବେ ଆପଣଙ୍କ ଘର ଉପରେ ବି ପଡିପାରେ ଚୋରଙ୍କ ଆଖି !