ଟିକା ନେଇ ୬୦ ଅସୁସ୍ଥ

0

ନୂଆଦିଲ୍ଲୀ: ମହମାରୀ କରୋନା ବିରୋଧରେ ଟିକା ନେଇ ଲୋକେ ବାହୁବଳୀ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। କିନ୍ତୁ ଟିକା ନେବା ପରେ ପ୍ରାୟ ୬୦ ଜଣ ଲୋକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି। ସେମାନଙ୍କ ଶରୀରରେ ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ ମଧ୍ୟ କରାଯାଇଛି।କେନ୍ଦ୍ରୀୟ ପ୍ୟାନେଲ ପକ୍ଷରୁ ଏପରି ତଥ୍ୟ ଦିଆଯାଇଛି। ଟିକା ନେବା ପରେ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେଉଥିବା ଅଭିଯୋଗର ଯାଞ୍ଚ କରି ପ୍ୟାନେଲ ଏପରି ରିପୋର୍ଟ ପ୍ରସ୍ତୁତ କରିଛି। ଗତ ମାସରେ ଏହି ସଂଖ୍ୟା ୩୧ ଥିଲା। ସେହିପରି ଟିକା ନେବା ପରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଟିକା ନେବା ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା(ଏଇଏଫଆଇ) କମିଟି ମେ’ ୨୭ରେ ଅଭିଯୋଗଗୁଡ଼ିକର ଯାଞ୍ଚ କରି ଚୂଡ଼ାନ୍ତ ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଇଥିଲା। ୬୦ଟି କେସ୍ ମଧ୍ୟରୁ ୫୫ ଜଣଙ୍କ ଶରୀରରେ ସିଧାସଳଖ ଟିକାର ପ୍ରଭାବ ଯୋଗୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖାଯାଇଥିଲା।୫୫ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କ ଶରୀରରେ ଆଞ୍ଜାଇଟି ସମ୍ପର୍କିତ ପ୍ରତିକ୍ରିୟା ଓ ୧୮ ଜଣଙ୍କ ଶରୀରରେ ପ୍ରଡକ୍ଟ ସମ୍ପର୍କିତ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥିଲା। ଜଣଙ୍କ ଶରୀରରେ ଉଭୟ ପ୍ରତିକ୍ରିୟା ଦେଖାଯାଇଥିଲା। ବଳକା ୫ ଜଣଙ୍କ ଶରୀରରେ ଅନିୟମିତ ପ୍ରତିକ୍ରିୟା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।