ରାଜ୍ୟ : ରାଜ୍ୟରେ ପୋଲିସ ଉତପାତ ବଢିଛି । ବାହାରେ ନୁହେଁ ପୋଲିସ ହାଜତ ଭିତରେ ବଢିଛି ଜୁଲମ । ଓଡିଶା ପୋଲିସ ସେବା ପାଇଁ ନୁହେଁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଛି । କିଛି ଏପରି ଅନୁଭବ ହେଉଛି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିଧାନସଭା ଉତରରୁ । ଯେଉଁଠି ନିଜେ ଗୃହ ଭିତରେ ଗୃହ ମନ୍ତ୍ରୀ କହିଛନ୍ତି ପୋଲିସ ହାଜତରେ ମରିଛନ୍ତି ୫ ଜଣ । ୨୦୨୧ରେ ଏହି ସଂଖ୍ୟା ଥିଲା ୫ ଏବଂ ୨୦୨୨ରେ ବି ରହିଛି ୫ । ଏଥିରୁ ସ୍ପଷ୍ଟ ହେଉଛି ପୋଲିସ ନିଜର ଜୁଲମ ସାଧାରଣ ଲୋକଙ୍କ ପ୍ରତି କମାଇ ନାହିଁ । ଓଲଟି ସେବା ନାମରେ ଆଇନର ନାଲି ଆଖି ଦେଖାଇ କୋର୍ଟ ଦଣ୍ଡ ଦେବା ଆଗରୁ ନିଜେ ପିଟିପିଟି ମାରି ଦେଉଛି । ଗୃହ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ପୋଲିସ ଥାନାରେ ୨୦୧୮ରେ ୪ ଜଣ, ୨୦୧୯ରେ ୭ ଜଣ, ୨୦୨୦ରେ ୭ ଜଣ, ୨୦୨୧ରେ ୫ ଓ ୨୨ରେ ବି ୫ ଜଣ ପ୍ରାଣ ହରାଇଛନ୍ତି ।
ସେହିପରି ଦୁଷ୍ମର୍ମ ଉପରେ ରୋକ ଲାଗି ପାରୁନି କି ପୋଲିସ ଓ ଦଣ୍ଡ ବିଧାନ ବ୍ୟବସ୍ଥା ଉପରେ ଡର ନାହିଁ ଦୁଷ୍କର୍ମକାରୀଙ୍କର । ଯଦିଓ ସ୍ଥିତି ଗତ ବର୍ଷ ଅପେକ୍ଷା ସାମାନ୍ୟ କମ୍ ହେଲେ ଏହା ସନ୍ତୋଷ ଜନକ ନୁହେଁ । ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ହୋଇଥିଲା, ସେହପିରି ୨୦୧୯ରେ ୨୯୫୦, ୨୦ରେ ୨୯୮୪, ୨୧ରେ ୩୩୨୭ଟି ହୋଇଥିବା ବେଳେ ୨୦୨୨ରେ ୩୧୮୪ ଦୁଷ୍କର୍ମ ହୋଇଛି ।
କିନ୍ତୁ ରାଜ୍ୟରେ ଚୋର ଉତପାତ ମଚାଇଛନ୍ତି । ଯାହାକୁ ରୋକିବାରେ ପୋଲିସ ବିଫଳ । ଏହା ଏକ ପ୍ରତିରୋଧମୂଳକ ଅପରାଧ ହୋଇଥିବା ବେଳେ ପୋଲିସ କିନ୍ତୁ ଏହାକୁ ରୋକିବାରେ ବିଫଳ । ସଂଖ୍ୟା କହୁଛି ରାଜ୍ୟରେ ଚୋରି ୨୦୧୮ରେ ୯୦୬୯, ୨୦୧୯ରେ ୧୦୭୬୬, ୨୦୨୦ରେ ୧୦୪୧୨, ୨୦୨୧ରେ ୧୩୦୨୪ ଓ ୨୦୨୨ରେ ୧୪୮୯୩ଟି ଚୋରି ମାମଲା ହୋଇଛି । ମୋଟ ୧ ହଜାର ୮୬୯ଟି ଚୋରି ବଢିଛି ରାଜ୍ୟରେ । ସେହି ତୁଳନାରେ କିନ୍ତୁ ସଂପତି ଫେରି ପାଇନାହାନ୍ତି ଲୋକେ ।
ସେହପରି ଦୋଷୀ ଦଣ୍ଡ ପାଇବା ପାଇଁ ଜେଲ ଥିବା ବେଳେ ସେଠାରେ କିନ୍ତୁ ମୃତ୍ୟୁ ଦଣ୍ଡ ବେଶୀ ହେଉଛି । ଜେଲ ଭିତରେ କଏଦୀଙ୍କ ଜୀବନ ସୁରକ୍ଷିତ ରହିବା ବଦଳରେ ଅଧିକ ବିପଦ ପୂର୍ଣ ହୋଇଛି । ଜେଲ ଭିତରେ ୨୦୧୮ରେ ୫୧ ଜଣ କଏଦୀଙ୍କର ମୃତ୍ୟୁ ହୋଇଥିଲା । ହେଲେ ୨୦୨୨ରେ ଏହି ସଂଖ୍ୟା ୭୩ରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ ୧୨ ଜଣ କଏଦୀ ଅଧିକ ମରିଛନ୍ତି ଜେଲ ଭିତରେ ।
ଏ ସବୁ ଭିତରେ କିନ୍ତୁ ରାଜ୍ୟରେ ଦୁର୍ଘଟଣା ଜନିତ ଓ ଏଥି ଜନିତ ମୃତ୍ୟୁ ଖୁବ୍ ଉଦେବେଗଜନକ । ଯେତେ ସଡକ ନିର୍ମାଣ ବଢିଛି ଦୁର୍ଘଟଣା ସେତିକ ବଢିଛି । ୨୦୧୮ରେ ୧୧୨୬୨ଟି ଦୁର୍ଘଟଣା ହୋଇଥିଲା ୨୦୨୨ରେ ଏହା ୧୧ ହଜାର ୬୬୩ରେ ପହଂଚିଛି । ଆଉ ଏଥି ଜନିତ ମୃତ୍ୟୁ ବି ଢେର ବଢିଛି । ଦୁର୍ଘଟଣା ଜନିତ ମୃତ୍ୟୁ ୨୦୧୮ରେ ୫୩୧୫ ଥିବା ବେଳେ ୨୦୨୨ରେ ୫୪୬୭ ହୋଇଛି ।
ସବା ଶେଷରେ ହତ୍ୟା ମାମଲା । ଯଦିଓ ହତ୍ୟା ମାମଲା ସେତେଟା ବୃଦ୍ଧି ପରିଲକ୍ଷିତ ପାଇନି କିନ୍ତୁ ସଂଖ୍ୟା ଏକ ହଜାର ୩୭୯ ରହିଛି ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର କାରଣ କଣ ? ଗତ ୫ ବର୍ଷରେ କେତେ ହତ୍ୟା ହୋଇଛି ? କେତେ ଜେଲ ମୃତ୍ୟୁ. ଥାନା ହାଜତ ମୃତ୍ୟୁ, ନିଖୋଜ ମାମଲା, ଦୁଷ୍କର୍ମ, ଚୋରୀ, ଦୁର୍ଘଟଣା, ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି, କେତେ କେସରେ ସଫଳତା ମିଳିଛି ? କେତେ ମିଳି ନାହିଁ ବିଭାଗ ତରଫରୁ ରି କାର୍ଯ୍ୟାଲୁଷ୍ଟାନ ନିଆ ଯାଉଛି ବୋଲି ଗୃହରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତତରାୟ ।