ହାଇଦ୍ରାବାଦ: ସୋମବାର ରାତିରେ ତେଲେଙ୍ଗାନା ସିକନ୍ଦରାବାଦ ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ସୋ’ରୁମ୍ରେ ଅଗ୍ନିକାଣ୍ଡ ଘଟିବାରୁ ୨ଜଣ ମହିଳାଙ୍କ ସମେତ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସୋ’ରୁମରେ ନିଆଁ ଲାଗିବାରୁ ୫ଟି ନୂଆ ଇଲେକ୍ଟ୍ରି ସ୍କୁଟର ଓ ୧୨ଟି ପୁରୁଣା ଇଲେକ୍ଟ୍ରି ସ୍କୁଟର ଜଳି ଯାଇଛି । ଏହାଛଡା ସେଠାରେ ମଧ୍ୟ ଅନେକ ଲୋକ ଫସି ହୋଇ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ସିକନ୍ଦରାବାଦସ୍ଥିତ ‘ପାସ୍ପୋର୍ଟ ଅଫିସ୍’ ପାଖରେ ଥିବା ‘ରୁବି ଇଲେକ୍ଟ୍ରିକାଲ୍ ସ୍କୁଟର୍ ସୋ’ରୁମ୍’ରେ ଗତରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଯିବାରୁ ୪ ତାଲାବିଶିଷ୍ଟ ଉକ୍ତ ଅଟ୍ଟାଳିକାରେ ଥିବା ଲଜ୍ ଓ ରେସ୍ତୋରାଁକୁ ନିଆଁ ବ୍ୟାପି ଯାଇଥିଲା। ସ୍କୁଟର୍ ସୋ’ରୁମ୍ରୁ ନିଆଁ ଓ ଧୂଆଁ ଉଠୁଥିବା ଦେଖି ରେସ୍ତୋରାଁର କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ସେମାନେ ଆସି ନିଆଁ ଲିଭାଇଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା।
ପୁଲିସ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତଳତାଲାରେ ସ୍କୁଟର୍ ସବୁ ଚାର୍ଜରେ ବସିଥିଲା। ସେଥିରୁ ସର୍ଟସର୍କିଟ୍ ଘଟି ନିଆଁ ଲାଗିଯାଇଥାଇ ପାରେ। ନିଆଁ ବ୍ୟାପି ଯିବାରୁ ପ୍ରଥମ ଓ ଦ୍ବିତୀୟ ତାଲାରେ ଥିବା ପ୍ରାୟ ୨୪ଜଣ ଲୋକ ନିଆଁ ଓ ଧୂଆଁ ଘେରରେ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ଜୀବନ ବିକଳରେ କେତେକ ଲୋକ ତଳକୁ ଡେଇଁ ପଡ଼ିଥିବା ବେଳେ ବାକି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଅଧିକାଂଶ ମୃତବ୍ୟକ୍ତି ହେଉଛନ୍ତି ବାହାର ରାଜ୍ୟର ବାସିନ୍ଦା।