ସାମ୍ବାଦିକ ସୁରକ୍ଷା ଓ ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0

ଜଳେଶ୍ୱର(ଅଜିତ କୁମାର ସାହୁ): ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ବିଭିନ୍ନ ସାମ୍ବାଦିକ ସଂଗଠନ ଏହାକୁ ବିରୋଧ କରି ସାମ୍ବାଦିକ ଆଇନ ସୁରକ୍ଷା ପ୍ରଣୟନ କରିବା ପାଇଁ ପ୍ରତ୍ୟେକ ଦିନ ଦାବୀ କରାଯାଉଛି। ମାତ୍ର ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ଯାହା ପାଇଁ କର୍ତ୍ତବ୍ୟରତ ସାମ୍ବାଦିକ ମାନେ କର୍ମକ୍ଷେତ୍ରରେ ହିଂସା ଓ ଆକ୍ରୋଶ ର ଶିକାର ହେଉଛନ୍ତି। ଯାହାର ଜ୍ଵଳନ୍ତ ଉଦାହରଣ ପାଲଟିଛି ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଘଟଣା। ନିଜର ରାଗ ସୁଝାଇବାକୁ ଯାଇ ଥାନା ଅଧିକାରିଣୀ ଦ୍ରୋପଦୀ ଦାସ ତାଙ୍କ ନାମରେ ମିଛ ମାମଲା ରୁଜୁ କରିବା, ମାଡ଼ମାରିବା ଏବଂ ଚିକିତ୍ସା ବେଳେ ଜଣେ ପେଷାଦାର ଅପରାଧିଙ୍କ ଭଳି ଗୋଡ଼ରେ ବେଡି ପକାଇବା ଘଟଣା ସାମ୍ବାଦିକ ମାନଙ୍କୁ ବ୍ୟଥିତ କରିଛି।

ଯାହାପାଇଁ ସାମ୍ବାଦିକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ନୀଳଗିରି ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ବସ୍ତାପ୍ରେସ କ୍ଳବର ସମସ୍ତ ସାମ୍ୱାଦିକ ମାନେ ଦୃଢ ନିନ୍ଦା କରିବା ସହିତ ନୀଳଗିରିର ସମ୍ପୃକ୍ତ ଥାନାଧିକାରୀ ଦ୍ରୌପଦୀ ଦାସଙ୍କୁ ଚାକିରିରୁ ବହିସ୍କୃତ କରିବା ସହିତ ଦୃଢ କାଯ୍ୟାନୁଷ୍ଠାନ ପାଇଁ ୪ ଦଫା ଦାବୀ ନେଇ ବସ୍ତା ତହସିଲଦାର କାର୍ତ୍ତିକଚନ୍ଦ୍ର ଦାସ ଏବଂ ଏସଡିପିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ରାଜ୍ୟପାଳ ଗଣେଶି ଲାଲଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି।