ଭୁବନେଶ୍ୱର(ହରପ୍ରସାଦ ବିଷୋଇ):-ରାଜ୍ୟରେ ନିୟନ୍ତ୍ରଣକୁ ଆସୁନାହିଁ ଘରପୋଡି ଘଟଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ ୨୭୮ ଟି ଘର ପୋଡ଼ି । କିନ୍ତୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ଘର ପୋଡ଼ି ନେଇ ରିପୋର୍ଟ ହୋଇନାହିଁ । ୨୦୨୧-୨୨ ବର୍ଷରେ ରାଜ୍ୟରେ ୨୧୬୭ ଘରପୋଡି ହୋଇଛି । ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ରଖି ଉତ୍ତର ଦେଇଛନ୍ତି ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି ବିଧାୟକ ମୁକେଶ ପାଲଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ପ୍ରମିଳା କହିଛନ୍ତି ଯେ, ୨୦୨୧- ୨୨ ରେ ରାଜ୍ୟରେ ୨୧୬୭ ଟି ଘରପୋଡି ଘଟଣା ହୋଇଛି । ବିପର୍ୟ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସଂପୂର୍ଣ୍ଣ ପୋଡିଯାଇଥିବା ଘର ପାଇଁ ପରିବାର ପିଛା ୯୫, ୧୦୦ ଟଙ୍କା, ବାସନକୁସନ ଓ ଲୁଗାପଟା ପାଇଁ ଯଥାକ୍ରମେ ୨ ହଜାର ଏବଂ ୧୮୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏତଦ୍ ବ୍ୟତୀତ ଘରପୋଡି ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ ବାସଗୃହ ପାଇଁ ପଲିଥିନ୍ ଏବଂ ସାମୟିକ ଭାବେ ରନ୍ଧା / ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଉଛି ।ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଅନୁଗୁଳରେ ୯୩, ବଲାଙ୍ଗୀରରେ ୧୨, ବାଲେଶ୍ଵରରେ ୧୨୪, ବରଗଡରେ ୯, ଭଦ୍ରକରେ ୫୭, ବୌଦ୍ଧରେ ୨୭, କଟକରେ ୨୦୩, ଦେଓଗଡ଼ରେ ୯, ଢେଙ୍କାନାଳରେ ୧୩୯, ଗଜପତିରେ ୨୪, ଗଂଜାମ ୨୭୮, ଜଗତସିଂହପୁରରେ ୧୩୯, ଯାଜପୁରରେ ୨୫୨, କଳାହାଣ୍ଡିରେ ୨, କନ୍ଧମାଳରେ ୩୮, କେନ୍ଦ୍ରାପଡାରେ ୨୧୦, କେନ୍ଦୁଝରରେ ୮୦, ଖୋର୍ଦ୍ଧା ୨୮, କୋରାପୁଟ ୧୫, ମାଲକାନଗିରି ୧୯, ମୟୁରଭଞ୍ଜ ୮୬, ନବରଙ୍ଗପୁରରେ ୩୬, ନୟାଗଡ଼ ୪୯, ପୁରୀ ୧୮୫, ରାୟଗଡ଼ାରେ ୨୧, ସୋନପୁରରେ ୩୨ ଘରପୋଡି ମାମଲା ସମ୍ନାକୁ ଆସିଛି ।