ବସଯାତ୍ରୀମାନଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ଭଡା ଠାରୁ ଢେର ଅଧିକ ଭଡା ନେଇଥିବାରୁ ଯାତ୍ରୀମାନେ ଦୀର୍ଘଦିନ ହେବ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏହା କେବଳ ଆମ ପୁରୀ ଜିଲ୍ଲା ସମସ୍ୟା ନୁହେଁ,ବରଂ ଏହା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ସରକାର ଏଥିପ୍ରତି ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି। ଏହି ପରିସ୍ଥିତି ଭିତରେ ପୁରୀ ଜିଲ୍ଲାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ୱବାଧାନରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ବସଯାତ୍ରୀଙ୍କ ସଚେତନତା ନିମନ୍ତେ ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ଏକ ମଟର ସାଇକେଲ ଶୋଭାଯାତ୍ରା ଶୁଭାରମ୍ଭ କରାଯାଇଥିଲା।
ଏହି ଶୋଭାଯାତ୍ରା ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିଲା ଓ ଏହାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ସଦର ବିଡ଼ିଓ ସମ୍ବିତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍- ଆଟାର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ସ୍ୱେଚ୍ଛାସେବୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୀ ବସଷ୍ଟାଣ୍ଡ ସମେତ ପୁରୀ କୋଣାର୍କ ରାସ୍ତାରେ ଥିବା ପ୍ରମୁଖ ଛକ ମାନଙ୍କରେ ଲୋକମାନଙ୍କୁ ପ୍ରଚାର ମାଧ୍ୟମରେ ସଚେତନତା କରାଇବା ସହ ଧାର୍ଯ୍ୟଦର ତାଲିକା ସ୍ଥାନୀୟ ଅଞ୍ଚଳରେ ଲଗେଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ରୁଟ ବସ୍ ଗୁଡିକରେ ଯାତ୍ରୀମାନଙ୍କ ସାମ୍ନାରେ ଧାର୍ଯ୍ୟ ଦର ତାଲିକା ଲଗାଇ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକ ଓ ବସ୍ ଯାତ୍ରୀମାନେ ଭୁୟସି ପ୍ରଶଂସା କରିଥିଲେ।