ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ

0

ବ୍ରହ୍ମପୁର : ଜିଲ୍ଲା ଗୋପାଳପୁର ଥାନା ଭିତରେ ପଶି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜିକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଆଗରେ ଟିକିନା ଦାସ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ କାହାକୁ କିଛି ନକହି ସାଙ୍ଗରେ ଆଣିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କ ଠାରୁ କୀଟନାଶକ ଔଷଧ ଛଡ଼ାଇବା ସହ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ମହିଳା ଗୋପାଳପୁର ଥାନା ଆସିଥିଲେ । ହେଲେ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ଗତକାଲି ଥାନା ପରିସରରେ ମହିଳା ଜଣକ ବିଷ ପିଇ ଦେଇଥିଲେ ।

ମୃତ ମହିଳାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍. କହିଛନ୍ତି, ’ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଏପରି କରିଛନ୍ତି ।’ ତେବେ ଘଟଣାକୁ ନେଇ ଏଚ୍ଆରପିସି ସ୍ତରୀୟ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।