ଦଶପଲ୍ଲୀ: ପାଠ ପଢିବା ପାଇଁ ବାଧକ୍ୟ ସାଜୁଛି ଆର୍ଥିକ ପରିସ୍ଥିତି । ପିଲାଟିର ପଢିବାରେ ଇଚ୍ଛା ଥିଲେ ବି ଉପାୟ ଶୂନ୍ୟ ସେହି ପିଲା । ଭିକ୍ଷା କଲେ ପେଟ ପୋଷାହୁଏ । ନାଁ ଅଛି ସରକାର ସହାୟତ ନାଁ ଘରବାଡି । ଆହାର ମୁଠେ ପାଇଁ ଦୂଆର ଦୂଆର ସକାଳୁ ବୁଲିବାକୁ ପଡିଥାଏ । ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ର ନାହିଁ ବୋଲି ସରକାର ସହାୟତାର ବଂଚିତ ହେଉଛନ୍ତି ମାଆ ଆଉ ପୁଅ । ପାଠ ପଢିବା ପାଇଁ ମନରେ ଆଗ୍ରହ ରହିଥିଲେ ମଧ୍ୟ ଆଧାର କାର୍ଡ ନଥିବା ହେତୁ ବିଦ୍ୟାଳୟରେ ପାଠ ପଢିପାରୁନାହିଁ । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାରସାହି ପଂଚାୟତର ସୁବଳୟାସ୍ଥିତ ଟୁବୁରୀ ପାହାଡରେ ଅବସ୍ଥିତ ମୁଣ୍ଡପୋତା କେଳା ସମୁଦାୟର ଶାନ୍ତି ପ୍ରଧାନଙ୍କ କ୍ଷେତ୍ରରେ ।
ଶାନ୍ତିତଙ୍କ କହିବା ଅନୁଯାୟୀ, ସ୍ୱାମୀ କୈଳାସ ବିଭିନ୍ନ ସ୍ଥାନକୁ ଯାଇ ନିଜର କଳାକୌଶଳ ପ୍ରଦର୍ଶନ କରି ପରିବାର ଚଳାଇ ଆସନ୍ତି । ଏହା ମଧ୍ୟରେ ୨ବର୍ଷ ତଳେ ବ୍ରହ୍ମପୁରରେ ରହୁଥିବାବେଳେ କିଛି ବ୍ୟକ୍ତି ଡାକିନେଇ ତଣ୍ଟିକାଟି ହତ୍ୟା କରିଥିଲେ । ଏହା ପରେ ୩ଟି ପୁଅ ଓ ୨ଟି ଝିଅଙ୍କୁ ଧରି ସୁବଳୟା ଚାଲି ଆସିଥିଲେ । ପାହାଡରେ ରହୁଥିବା ଅନ୍ୟ ପରିବାରର ଆଧାର କାର୍ଡ ରହିଥିବାବେଳେ ସେମାନଙ୍କୁ ରାସନ ସାମଗ୍ରୀ ମିଳିଛି । ମାତ୍ର ତାଙ୍କର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନଥିବା କାରଣରୁ କୌଣସି ସରକାର ସହାୟତା ମିଳିପାରୁନାହିଁ । ପିଲାଙ୍କ ପାଠ ପଢିବା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ଆଧାରକାର୍ଡ ନଥିବା ହେତୁ ବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ଶିକ୍ଷକ ମନା କରିଥିବା ମଧ୍ୟ ପ୍ରକାଶ କରିଛନ୍ତି ।
ତାହା ସହ ସକାଳୁ ଉଠି ଗାଁ ଗଣ୍ଡାରେ ବୁଲି ବୁଲି ଚାଉଳ ମୁଠେ ସଂଗ୍ରା କରିବା ସହ ପିଲାଙ୍କ ପାଇଁ ମଗାଯଚା କରି ପୋଷାକପତ୍ର ଖଣ୍ଡେ ନେଲେ ସେଥିରେ ଦେହ ଢାଙ୍କିବାକୁ ପଡୁଛି । ସବୁଠୁ ବଡ କଥା ହେଉଛି , ରାଜ୍ୟରେ ସରକାର ମାଳମାଳ ଯୋଜନା କରୁଥିଲା ବେଳେ ଆଜିର ସମାଜରେ ଏଭଳି ପରିଚୟ ବିହୀନ ସମୁଦାୟର ଏକ ପରିବାର ଦାରିଦ୍ର୍ୟ ମଧ୍ୟରେ ଜୀବନ ଅତିବାହିତ କରିବା ବିଧିବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ଜରୁରୀ ହୋଇପଡିଛି । ତେବେ ବାକି ରହିଲା ଦେଖିବାକୁୂ କେବେ ମିଳୁଛି ଏହି ଦୁଃଖୀ ଏବଂ ଗରୀବଙ୍କୁ ସରକାର ସହାୟତା ।