ଯୁବବର୍ଗଙ୍କ ପାଇଁ ଭୋଟର ହେବା ହେଲା ଆହୁରି ସହଜ
ଆଜିଠୁ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା । ଅଫଲାଇନ୍ ସହ ଅନଲାଇନରେ ବି କରିହେବ ଆବେଦନ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା । ଅଫଲାଇନ୍ ସହ ଅନଲାଇନରେ ମଧ୍ୟ କରିହେବ ଆବେଦନ । ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଫର୍ମ ନଂ-୬ରେ ରହିଛି ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆବେଦନ ପ୍ରକ୍ରିୟା । ପ୍ରବାସୀ ଭାରତୀୟ ନାଗରିକମାନେ ୬ କ ନମ୍ବର ଫର୍ମ ରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।
ଭୋଟର ତାଲିକାରୁ ନାମ ବାଦ୍ ଦେବା ଓ ଏହାସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରିବା ପାଇଁ ଫର୍ମ ନଂ-୭ ଓ ଫର୍ମ ନଂ-୮ରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଆବେଦନ କରାଯାଇପାରିବ ।
ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ସ୍ବେଚ୍ଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ । ଏଥିପାଇଁ ଅନଲାଇନ୍ରେ ବି ଆବେଦନ କରିହେବ । ଭୋଟରମାନେ ଅନଲାଇନ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍ଭିଏସ୍ପି, ଭିଏଚ୍ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ । ଆଧାର ନମ୍ବର ଦେଲେ ପଞ୍ଜୀକୃତ ମୋବାଇଲ୍କୁ ଏକ ଓଟିପି ଆସିବ । ଏହାକୁ ଦେଲେ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ ହୋଇଯିବ ।
ତେବେ ବର୍ତମାନ ଠାରୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେବ ସେମାନେ ଏକ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ତାରିଖରେ ନିଜର ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ । ଏଣୁ ଭୋଟର ପରିଚୟ ପତ୍ର ସହ ନିଜ ଆଧାରକୁ ଆଜିହିଁ ସଂଯୋଗ କରନ୍ତୁ ।