ଯାତ୍ରୀଙ୍କୁ ଛାଡ଼ି ଚାଲିଯିବା ଘଟଣା: ୧୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ

0

ନୂଆଦିଲ୍ଲୀ: ଭୁଲ ପାଇଁ ବିମାନ ଭୋଗିଲା ଦଣ୍ଡ । ଏହି ବର୍ଷ ଆରମ୍ଭରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଗୋ ଫାଷ୍ଟ ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲା । ଯେଉଁଥିପାଇଁ ବିମାନ କମ୍ପାନୀର ଭୁଲ୍ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାର୍ଷ୍ଟ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ସୂଚନା ଅନୂଯାୟୀ ଜାନୁଆରି ୯ତାରିଖ ସକାଳ ୬.୩୦ରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଜି ୮ ୧୧୬ ବିମାନ କେମ୍ପେଗୋଡ଼ା ଅନ୍ତର୍ଜୀତୀୟ ବିମାନ ବନ୍ଦରରୁ ଉଡ଼ାଣ କରିଥିଲା ।

ବିମାନକୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ବସ୍ ମାଧ୍ୟମରେ ଅଣା ଯାଇଥିଲା । ଗୋଟାଏ ବସରେ ଥିବା ୫୫ ଜଣ ଯାତ୍ରୀ ଗୋ ଫାଷ୍ଟ୍ ବିମାନରେ ଚଢ଼ିବାକୁ ଅପେକ୍ଷା କରିଥିବା ବେଳେ ବିମାନ ସେମାନଙ୍କୁ ଛାଡ଼ି ଉଡ଼ାଣ କରିଥିଲା । ଯାକୁ ନେଇ ଯାତ୍ରୀମାନେ ବିରୋଧ କରିଥିଲେ । ତେଣୁ ଗୋ ଫାଷ୍ଟ୍ ଏୟାରଲାଇନ ପକ୍ଷରୁ କୁହାଯାଇଥିଲା ଯେ, ଯେଉଁ ଯାତ୍ରୀମାନେ ବସରେ ରହିଯାଇଥିଲେ ସେମାନଙ୍କୁ କ୍ଷତିପୂରଣ ଆକାରରେ ଗୋଟିଏ ଲେଖାଏଁ ମାଗଣା ଟିକେଟ ଦିଆଯିବ। ମାଗଣାରେ ଟିକେଟ ବୁକ୍ କରି ସେମାନେ ଭାରତର ଯେକୌଣସି ସ୍ଥାନକୁ ଯାଇପାରିବେ। ଗୋ ଫାଷ୍ଟ୍ ଏହି ଘଟଣା ପାଇଁ କ୍ଷମା ମାଗି ପ୍ରଭାବିତ ଯାତ୍ରୀମାନଙ୍କୁ ଆସନ୍ତା ବର୍ଷ ମଧ୍ୟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଗୋଟିଏ ମାଗଣା ଟିକେଟ ପ୍ରଦାନ କରିଛି।